ଭୁବନେଶ୍ୱର: ଶଙ୍ଖ ଧରିଲେ ସୁବାସ ଚୌହ୍ୱାନ । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ସୁବାସ ଚୌହ୍ୱାନ । ତେବେ ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଆଗକୁ ଲୋକଙ୍କ ପାଇଁ ନିରନ୍ତର କାମ କରିବି । ଅଧର୍ମ ବିରୋଧରେ ଧର୍ମର ଲଢେଇ ଜାରି ରହିବ । ନିଃସର୍ତ ଭାବେ ସେ ବିଜେଡିରେ ସାମିଲ ହେଉଥିବା କହିଛନ୍ତି । ଟିକେଟରୁ ବାଦ ପଡିବା ପରେ ସୁବାସ ଚୌହ୍ୱାନ ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ରରେ ସେ ଅନେକ କଡା କଥା ଲେଖିଥଲେ । ସୁବାସ କହିଥିଲେ କିଛି କୁଚକ୍ରୀ ଗୋଷ୍ଠୀ ସହ ମିଶି ତାଙ୍କ ଟିକେଟ କାଟିଛନ୍ତି । ଟିକେଟ କାଟି ତାଙ୍କୁ ଅପମାନ କରାଯାଇଛି ବୋଲି ସୁବାସ ଚୌହ୍ୱାନ ଅଭିଯୋଗ ଆଣିଥିଲେ । ବରଗଡ ଲୋକସଭା ଆସନରୁ ଏଥର ସୁବାସ ଚୌହ୍ୱାନଙ୍କୁ ଟିକେଟ ଦିଆଯାଇନଥିଲା । ଏଥିରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ ।ସେ କହିଥିଲେ, ପଶ୍ଚିମ ଓଡିଶାର ଓବିସି ସମାଜ ପାଇଁ ଏହା ଅପମାନ । ବିଜେପିକୁ ସମର୍ଥନ କରିବା ପାଇଁ ବରଗଡବାସୀ ପ୍ରସ୍ତୁତ ଥିବା ବେଳେ ତାଙ୍କର ଲୋକସଭା ଆସନ ଟିକେଟ କାଟି ଦିଆଯାଇଛି । ଜନତାଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ହେବା ପରେ ତାଙ୍କୁ ବିଜେପୁରରୁ ଲଢିବାକୁ କୁହାଯାଇଥିଲା । ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲି ବୋଲି କହିଥିଲେ ସୁବାସ ।