ଯୁକ୍ତ ୨ ପରୀକ୍ଷାକୁ ନେଇ ରମାଦେବୀ କଲେଜ ଫାଟକରେ ତାଲା; ନିଷ୍ପତିର ପୁନର୍ବିଚାର କରାଯିବ ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷାରେ ଲାଗୁ ହୋଇଥିବା ନୂଆ ନିୟମକୁ ବିରୋଧ କରି ଆଜି ରମାଦେବୀ କଲେଜ ଫାଟକରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଫାଟକରେ ତାଲା ପକାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ଚଳିତ ବର୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣାକୁ ବିରୋଧ କରି ରାଜ୍ୟର ଅନେକ କଲେଜରେ ଦେଖାଦେଇଛି ବିବାଦ । ଯୁକ୍ତ ୨ ପ୍ରଥମ ବର୍ଷରେ ପାସ କରିବାକୁ ୩୩ ପ୍ରତିଶତ ମାର୍କ ରଖିବାକୁ ବାଧ୍ୟ । ତାହେଲେ ଯାଇ ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଉତୀର୍ଣ୍ଣ ହୋଇପାରିବେ । ଏହି ନିଷ୍ପତି କୁ ବିରୋଧ କରି ଆଜି ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇଥିବା ଜଣାପଡିଛି । ଏହାସହ ଟାୟାର ଜାଳି ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତା ମଧ୍ୟ ଅବରୋଧ କରିଛନ୍ତି । ଫଳରେ ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି । ଫଳରେ ରାସ୍ତାର ଉଭୟ ପାଖରେ ଶହ ଶହ ଗାଡ଼ି ଅଟକି ରହିଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଛି ।

ଏହାପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ‘ପିଲାମାନେ ପ୍ରସ୍ତୁତ ହୋଇ ନ ଥିବାରୁ ଯୁକ୍ତ୨(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ପ୍ରଥମ ବର୍ଷ ପରୀକ୍ଷା ନେଇ ନିଷ୍ପତିର ପୁର୍ନବିଚାର କରାଯିବ। ନୂତନ ବ୍ୟବସ୍ଥା ଆସନ୍ତାବର୍ଷ ଠାରୁ ଲାଗୁ କରାଯିବା ଲାଗି ବିଚାର କରାଯିବ। ପିଲାଙ୍କୁ ଫେଲ୍ କରିବା ଉଦ୍ଦେଶ୍ୟରେ ଏହା କରାଯାଇ ନାହିଁ। ‘

ଭୁବନେଶ୍ବର ଓ ପୁରୀରେ ଛାତ୍ର ଅସନ୍ତୋଷ ପରେ ମନ୍ତ୍ରୀ ଶ୍ରୀ ଦାଶ ଛାତ୍ରଛାତ୍ରୀଙ୍କୁ ଆଶ୍ବାସନା ଦେଇ କହିଥିଲେ, ପିଲାମାନଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ହୋଇଛି। ଆଗରୁ ପ୍ରଥମ ବର୍ଷରେ ପରୀକ୍ଷା ହେଉଥିଲା। ଏବେ ବି ସେହି ପରୀକ୍ଷା ହେବ। ନୂଆ କଥା କିଛି ନାହିଁ। ବିଦ୍ୟାଳୟଗୁଡ଼ିକ ଆଗରୁ ପରୀକ୍ଷା କରୁଥିଲେ। ଏବେ ବି ପରୀକ୍ଷା ପରିଚାଳନା କରିବେ। ଏବେ କେବଳ ପରୀକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇଛି। ପାସ୍‌ ପାଇଁ ୩୩% ମାର୍କ ରଖିବା‌ ବ୍ୟବସ୍ଥା‌ ଆଗରୁ ରହି ଆସିଛି। ଆମେ ବି କହିଛୁ ଯେ ଯେଉଁ ପିଲାମାନେ ପ୍ରଥମ ବର୍ଷ ପରୀକ୍ଷାରେ ରହିଯିବେ ସେମାନଙ୍କ ପାଇଁ ମେ’ ମାସରେ ଆଉଥରେ ସୁଯୋଗ ରହିଛି। କୌଣସି ବି ଛାତ୍ରଛାତ୍ରୀଙ୍କୁ ଫେଲ୍‌ କରିବା ବିଭାଗର ଉଦ୍ଦେଶ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ।