ଛାତ୍ର ଛାତ୍ରୀଙ୍କ ସ୍କୁଲ ବ୍ୟାଗ ବୋଝ କମିବ, କଡା କଟକଣା ଜାରି କଲା କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ

ଭୁବନେଶ୍ୱର : ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଚାପରୁ ମୁକ୍ତି ଦେବା ଲାଗି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମ ପ୍ରଣୟନ ହୋଇଛି । ଏଣିକି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍କୁଲଗୁଡିକ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ହୋମୱାର୍କ କରି ଆଣିବାକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କର ସ୍କୁଲ ବ୍ୟାଗ ଓଜନ୍ କେତେ ରହିବ ତାହା ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଧାର୍ଯ୍ୟ ହୋଇଛି । ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ ଅନୁଯାୟୀ, ସ୍କୁଲ ପକ୍ଷରୁ ଏନ୍ସିଇଆର୍ଟି ପୁସ୍ତକ ବ୍ୟତୀତ କୌଣସି ଅନ୍ୟ ବହି ଆଣିବାକୁ ପିଲାଙ୍କୁ କୁହାଯିବ ନାହିଁ ।

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ର ଓଜନ ସର୍ବାଧିକ ୧.୫କେଜିରୁ ଅଧିକ ରହିବ ନାହିଁ । ସେହିପରି ତୃତୀୟ ରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଓଜନ ୨ରୁ ୩କେଜି, ଷଷ୍ଠ ଓ ୭ମ ଶ୍ରେଣୀ ଲାଗି ୪କେଜି, ଅଷ୍ଟମ ଓ ୯ମଶ୍ରେଣୀ ପିଲାଙ୍କ ଲାଗି ୪.୫କେଜେି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ସର୍ବାଧିକ ୫କେଜିରୁ ଅଧିକ ହୋଇପାରିବ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

ପୂର୍ବରୁ ମାଡ୍ରାସ ହାଇକୋର୍ଟ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ବଢ଼ୁଥିବା ନେଇ ଆପତ୍ତି ଉଠାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସରକାର ଏହାର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିଥିଲେ । କମିଟିର ସୁପାରିଶ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପିଲାଙ୍କ ବସ୍ତାନି ବୋଝ କମାଇବା ଲାଗି ଗତ ଜୁନ୍ ମାସରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମାଲା ରୁଜୁ ହୋଇଥିଲା । ଏନେଇ ଗତ ୨୦ତାରିଖରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ପିଲାଙ୍କ ଚାପମୁକ୍ତି ଲାଗି ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷାରେ ପାସ୍ ଫେଲ୍ ବ୍ୟବସ୍ଥା ଉଚ୍ଛେଦ କରାଯାଇଥିଲା ।