ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଛାତ୍ରୀ

ଭୁବନେଶ୍ୱର: ଗତକାଲି ଗୁରୁ ଦିବସ ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ। ଆକାଂକ୍ଷା କୁମାରୀ ନାମକ ଜଣେ ଛାତ୍ରୀ ଫେସ୍‌ବୁକ୍‌ ପୋଷ୍ଟ କରି ଶାଶ୍ୱତ ଯୋଶୀଙ୍କ ବିରୋଧରେ ବିଷ ଓଗାଳିଛନ୍ତି। ସେ ଲେଖିଛନ୍ତି, ‘ସବୁଠୁ ବଡ଼ ଶସ୍ତା ଓ ନିମ୍ନ ମାନସିକତାର ବ୍ୟକ୍ତି ହେଉଛନ୍ତି ଶାଶ୍ୱତ ଯୋଶୀ। ୨୦୧୧ ମସିହାରେ ଗୋଟିଏ ଏନ୍‌ସିସି କ୍ୟାମ୍ପରେ ତାଙ୍କ ସହ ମୋର ଦେଖା ହୋଇଥିଲା। ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନାଚ କୋରିଓଗ୍ରାଫ୍‌ କରିବାକୁ ସେ ଆସିଥିଲେ। ତାଙ୍କ ଉତ୍ତମ ବ୍ୟକ୍ତିତ୍ୱ ଓ ଦକ୍ଷତା ଦେଖି ପ୍ରଥମେ ତ ମୁଁ ତାଙ୍କ ପ୍ରତି ଆକୃଷ୍ଟ ହୋଇଯାଇଥିଲି। ମୋର ନାଚ ପ୍ରତି ଆଗ୍ରହ ଥିଲା। ଦ୍ୱାଦଶ ଶ୍ରେଣୀ ପଢ଼ିବା ପରେ ମୁଁ ତାଙ୍କ ଡ୍ୟାନ୍ସ ଏକାଡେମୀରେ ଯୋଗଦେଇଥିଲି।’

ସେ ଆହୁରି ଲେଖିଛନ୍ତି-‘ଏହାପରେ ଧୀରେ ଧୀରେ ତାଙ୍କର ପ୍ରକୃତ ଚେହେରା ସାମ୍ନାକୁ ଆସିଲା। ତାଙ୍କ ସହ ମୁଁ ଅନେକ ଡ୍ୟାନ୍ସ ଶୋ’ କରିଛି। ବିଭିନ୍ନ ଦେଶ ଯାଇ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଛି। କିନ୍ତୁ ସେସବୁର କି ଲାଭ ଯଦି ଜଣେ ଗୁରୁ ତା’ର ଶିଷ୍ୟର ଉନ୍ନତି ଦେଖିପାରିବନି? ଶାଶ୍ୱତ ଯୋଶୀ ନାଚ ଶିଖାଉଥିବା ତାଙ୍କର ଶିଷ୍ୟମାନଙ୍କୁ କିଣି ନେଲା ପରି ବ୍ୟବହାର କରନ୍ତି। ସେ କାହାର ସମ୍ମାନ କରନ୍ତି ନାହଁ। ଝିଅମାନଙ୍କୁ ‘ବଜାରୀ’ ଏବଂ ‘ସ୍ଲଟ୍‌’ କହି ଡାକନ୍ତି। ଏମିତି କି ସେ ଝିଅ ହେଉ କି ପୁଅ କାହା ଉପରକୁ ହାତ ଉଠାଇବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ତାଙ୍କ ଅବସର ସମୟର କାମ ହେଉଛି ଅନ୍ୟମାନଙ୍କ ବିରୋଧରେ ଖରାପ କଥା ଗପିବା। ଏ ଏମିତି ଜଣେ ବ୍ୟକ୍ତି ଯେ ମୋର ବ୍ୟକ୍ତିଗତ ମାମଲାରେ ମଧ୍ୟ ମୁଣ୍ଡ ପୂରାଉଥିଲେ। ମୁଁ କଣ କଲି। ମୋ ପରିବାରରେ କ’ଣ ହେଲା ଏମିତି କି ମୁଁ ସୋଶାଲ୍‌ ମିଡିଆ କ’ଣ ପୋଷ୍ଟ କଲି ସେସବୁ ଉପରେ ମଧ୍ୟ ସେ ପ୍ରଶ୍ନ କରୁଥିଲେ।’

‘ମୋର ପୂର୍ବ ପ୍ରେମ ସମ୍ପର୍କ ବିଷୟରେ ସେ ଜାଣିଥିଲେ। ନାଚ ଶିଖିବା ସମୟରେ ଯଦି କିଛି ଭୁଲ୍‌ ହୋଇଯାଉଥିଲା ତେବେ ସେ ମତେ ଅଶ୍ଲୀଳ ଭାଷାରେ ଗାଳି କରୁଥିଲେ ଏବଂ ମୋ ପାର୍ଟନର କଥା ଉଠାଇ ମତେ ଯାଛାତା କହୁଥିଲେ।  ମୋ ବିଷୟରେ ଅନ୍ୟମାନଙ୍କ ସହ ଅନେକ ଖରାପ କଥା ଗପିଛନ୍ତି। ମୁଁ ପୁରୁଷମାନଙ୍କ ସହ ଶୋଇଚି ଆଉ ଏଇଟା ମୋ ଚରିତ୍ର ବୋଲି ସେ ଅନ୍ୟମାନଙ୍କ ଆଗରେ କହିଛନ୍ତି। ତାଙ୍କୁ ଯଦି ଏ ସମ୍ପର୍କରେ କିଛି ପଚରାଯାଏ ତେବେ ସେ କୁମ୍ଭୀର କାନ୍ଦଣା କାନ୍ଦି ସେସବୁ ଚପେଇଦାବକୁ ଚେଷ୍ଟା କରନ୍ତି।’

‘ସେ ଯେଉଁ ସବୁ ବଲିଉଡ୍‌ କଳାକାର ଯେମିତିକି ପ୍ରିୟଙ୍କା ଚୋପ୍ରା ଦୀପିକା ପାଦୁକୋନ୍‌ଙ୍କ ସହ କାମ କରିଛନ୍ତି ବୋଲି କହୁଛନ୍ତି ସେସବୁ ମିଛ।’

ଆକାଂକ୍ଷାଙ୍କ କହିଛନ୍ତି, ଗୁରୁ ଦିବସରେ ଶାଶ୍ୱତ ଯୋଶୀଙ୍କୁ ଧନ୍ୟବାଦ। କାରଣ ସେ ତାଙ୍କଠୁଁ ଅନେକ କିଛି ଶିଖେଇଛନ୍ତି। କିନ୍ତୁ ଭଲ ହୋଇଥାନ୍ତା ଯଦି ସେ ଏମିତି ଗୁରୁଙ୍କ ସହ କେବେ ଭେଟ ହୋଇ ନଥାନ୍ତେ।

ଆକାଂକ୍ଷାଙ୍କ ଏହି ଫେସ୍‌ବୁକ୍‌ ପୋଷ୍ଟକୁ ପାଖାପାଖି ୭୦ ଜଣ ଲୋକ ଶେଆର କରିଛନ୍ତି।  ସତ୍ୟତା ସାମ୍ନାକୁ ଆଣିଥିବାରୁ କିଛି ଲୋକ ଆକାଂକ୍ଷାଙ୍କୁ ସାବାସୀ ଦେଇଥିବା ବେଳେ କିଛି ଲୋକ ଏ ସମ୍ପର୍କରେ ଶାଶ୍ୱତ ନିଜ ପ୍ରତିକ୍ରିୟା ରଖନ୍ତୁ ବୋଲି କହିଛନ୍ତି।

ଆକାଂକ୍ଷା କଟକରେ ରୁହନ୍ତି। ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଏବଂ ଗଣମାଧ୍ୟମରେ ଏମ୍‌ଏ କରୁଥିବା ଜଣାପଡିଛି। ତାଙ୍କ ଅଭିଯୋଗ ସଂପର୍କର ଶାଶ୍ୱତଙ୍କ ପ୍ରତିକ୍ରିୟା ମିଳି ନାହିଁ।