ବରଗଡ: ବରଗଡରେ ସିଟି ହସ୍ପିଟାଲ ଦାବିରେ ଦୀର୍ଘ ୪ଦିନ ଧରି ସହର ବନ୍ଦ କରାଯାଇଥିଲା । ତେବେ ଗତକାଲି ଏହି ବନ୍ଦ ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଆନ୍ଦୋଳନ ପରେ କୌଣସି ସମାଧାନ ହୋଇ ନ ଥିବାରୁ ଆଜି ଏକତା ମଂଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ବନ୍ଦ ଡାକରା କାରଣରୁ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ଗାଡିମଟର ଚଳାଚଳ ମଧ୍ୟ ବନ୍ଦ ହୋଇଥିବା ଜଣାପଡିଛି ।
ବରଗଡ ଜିଲ୍ଲା ହସ୍ପିଟାଲକୁ ଟୁକୁର୍ଲ୍ଲା ସ୍ଥାନାନ୍ତର କରିବା ପରେ ସହର ଭିତରେ ଏକ ସିଟି ହସ୍ପିଟାଲ ପାଇଁ ଦାବି କରି ସହରବାସୀ ଆନ୍ଦୋଳନ କରୁଛନ୍ତି । ହେଲେ ଏନେଇ କୌଣସି ନିଷ୍ପତି ହୋଇୁପାରୁନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ପୁରୁଣା ଜିଲ୍ଲା ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରି ସହରବାସୀଙ୍କୁ ଚିକିତ୍ସା ଯୋଗାଇ ଦେବା ଦାବି ଆନ୍ଦୋଳନର ରୂପ ନେଇଛି ।
ବରଗଡ ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ପକ୍ଷରୁ ଆଲଗା ଅଲଗା ଦୁଇଟି ସ୍ଥାନରେ ଧାରଣା ଦେଇ ଦାବି ଉପସ୍ଥାପନ କରାଯାଇଥିଲା । ନିଜ ନିଜ ଅଂଚଳରେ ପ୍ରବେଶପଥକୁ ଅବରୋଧ କରି ଜନସାଧାରଣ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି । ଏପଟେ କିନ୍ତୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ପରେ ପୁରୁଣା ଡାକ୍ତରଖାନାକୁ ପିଏଚସି ଘୋଷଣା କରାଯାଇଛି ।