ମୃତ ଶିଶୁକୁ ଝୁଣି ଖାଇଲା କୁକୁର

ଜୟପୁର: ଜୟପୁର ଟାଉନ ଥାନା ଅଞ୍ଚଳର ଛୋଟାଗୁଡା ବସ୍ତି ନିକଟରେ ଆଜି ଭୋରରୁ ଏକ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି |

କିଛି କୁକୁର ଏହି ଶିଶୁର ମୃତଦେହକୁ ଖାଉଥିବାବେଳେ ସ୍ଥାନୀୟ ଲୋକ ଏହାକୁ ଦେଖିଥିଲେ | ପରେ ସେମାନେ ପୋଲିସ ଓ ଚାଇଲଡ ଲାଇନକୁ ଖବର ଦେଇଥିଲେ | ଏବେ ଘଟଣାସ୍ଥଳରେ ପୋଲିସ ଓ ଚାଇଲଡଲାଇନ ପହଂଚି ତଦନ୍ତ କରୁଛି|

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଆଜି ସକାଳେ ଭି-୨ ସପିଙ୍ଗ ମଲ ସମ୍ମୁଖ ଅଳିଆଗଦାରେ ଏକ ଶିଶୁ ପୁତ୍ରର ମୃତଦେହ ଲୋକ ଦେଖିବାକୁ ପାଇଥିଲେ | କିଛି କୁକୁର ଶିଶୁଟିର ମୃତଦେହକୁ ଝୁଣିଝୁଣି ଖାଉଥିବାର ଦେଖିବାକୁ ମିଳିଥିଲା |

କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସକାଳେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଧରି ଚିକିତ୍ସାଳୟ ନେବାକୁ ଅଟୋକୁ କହିଥିଲେ | ତେବେ ଅଟୋଟି ମନା କରିବାରୁ ସେହି ମହିଳାଜଣକ ଶିଶୁଟିକୁ ମାରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି | କିଏ ସେହି ମହିଳା ଆଉ ତାଙ୍କର ଏହି ଘଟଣା ସହ କଣ ସମ୍ପୃକ୍ତି ରହିଛି ପୋଲିସ ତାହା ତଦନ୍ତ କରୁଛି |