ଚୀନରେ ଘୂର୍ଣ୍ଣିଝଡ ‘ଲେକିମା’ର ତାଣ୍ଡବ: ୨୮ ମୃତ, ୨୦ ନିଖୋଜ

ବେଜିଙ୍ଗ : ଚୀନର ଝେଜିୟାଙ୍ଗରେ ପ୍ରବଳ ଘୂର୍ଣ୍ଣିଝଡ ଯୋଗୁଁ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ସକାଳେ ପୂର୍ବ ଚୀନ ଝେଜିୟାଙ୍ଗର ୱୋଲିଙ୍ଗ ସହରରେ ଘୂର୍ଣ୍ଣିଝଡ ‘ଲେକିମା’ ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୧୮୭ କିମି ବେଗରେ ପବନ ବହିଥିଲା ଏବଂ ବହୁତ ଉଚ୍ଚରେ ଜୁଆର ମାଡି ଆସିଥିଲା। ୧୦ ଲକ୍ଷ ୮୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ଝେଜିୟାଙ୍ଗରେ ପ୍ରାୟ ୫୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଜାତୀୟ ଗଣମାଧ୍ୟମ ସିସିଟିବି ରେ ପ୍ରକାଶିତ ରିପୋର୍ଟ ମୁତାବିକ, ଚୀନର ଶାଙ୍ଘାଇ ପୌରପାଳିକା ଠାରୁ ୪୦୦ କିମି ଦୂରତାରେ ଥିବା  ୱେଝେଓଁରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହ ଅନ୍ୟ ୧୦ ଜଣ ଲୋକଙ୍କ ପ୍ରାଣହାନି ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଏପର୍ଯ୍ୟନ୍ତ ୨୦ ଜଣ ଲୋକ ନିଖୋଜ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୦୦୦ ଜଣ ଉଦ୍ଧାରକାରୀ, ୧୫୦ଟି ଅଗ୍ନିଶମ ବାହିନୀ ଏବଂ ୧୫୩ଟି ନୌବାହିନୀକୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି ।

ଘୂର୍ଣ୍ଣିଝଡ କାରଣରୁ ପୂର୍ବ ଚୀନରେ ପ୍ରାୟ ହଜାର ବିମାନ ଯାତ୍ରାକୁ ବାତିଲ କରି ଦିଆଯାଇଛି । କେବଳ ଝେଜିୟାଙ୍ଗରେ ୨୮୮ଟି ବିମାନକୁ ରଦ୍ଦ କରାଯାଇଛି । ଏହା ସହ ଜଳପଥ ଓ ସ୍ଥଳପଥର ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି । ଶାନଡୋଙ୍ଗର ଜିନାନ ସହରରେ ୨୦୦ରୁ ଅଧିକ ଟ୍ରେନକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ବିମାନ ବନ୍ଦରକୁ ସଂଯୋଗ କରୁଥିବା ମେଗ୍ଲେଭ ଦ୍ରୁତଗତି ରେଳ ସେବାକୁ ସ୍ଥଗିତ କରାଯାଇଛି ।