ସିଏଏକୁ ନେଇ ଦିଲ୍ଲୀରେ ହିଂସା: ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି, ୧୫୦ ଆହତ

ନୂଆଦିଲ୍ଲୀ: ସିଏଏକୁ ନେଇ ଜଳୁଛି ଦିଲ୍ଲୀ । ହିଂସା କ୍ରମଶଃ ଉଗ୍ର ରୂପ ନେବା ସହ ଚାରିଆଡେ ବ୍ୟାପିବାକୁ ଲାଗିଲାଣି । ଅଶାନ୍ତ ହେବାରେ ଲାଗିଛି ଜାତୀୟ ରାଜଧାନୀ । ଜାଫରାବାଦରେ ସକାଳ ସମୟରୁ ଉତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା । ଏବେ କାଲି ଠାରୁ କୁହୁଳୁଥିବା ଧୂଆଁ ମଙ୍ଗଳବାର ଅପରାହ୍ନରେ ନିଆଁର ରୂପ ନେଇଛି । ପୋଲିସ ଓ ପ୍ରଦର୍ଶନକାରୀ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ସମ୍ଭାଳିବାକୁ ଯାଇ ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ କରିଛି ପୋଲିସ । ଅନ୍ୟପଟେ ପ୍ରଦର୍ଶନକାରୀଙ୍କ ଭିଡ ଲଗାତାର ଭାବରେ ପୋଲିସ ଉପରକୁ ପଥର ମାଡ ଜାରି ରଖିଛନ୍ତି ।

ମଙ୍ଗଳବାର ପୋଲିସ ଅନେକ ସମୟ ଧରି ବିକ୍ଷୋଭକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର ପ୍ରଦର୍ଶନକାରୀ ମାନେ ବାରମ୍ବାର ବ୍ୟାରିକେଡ ଭାଙ୍ଗିବା ସହ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରିବା ଚେଷ୍ଟା ଜାରି ରଖିଥିଲେ । ପରେ ବିକ୍ଷୋଭକାରୀମାନଙ୍କ ଉଗ୍ରତାକୁ ଦେଖି ପୋଲିସକୁ ଅଣାୟତ ପରିସ୍ଥିତିକୁ ଆୟତ କରିବା ପାଇଁ ବଳ ପ୍ରୟୋଗ କରିବାକୁ ପଡିଥିଲା ।

ବର୍ତମାନ ଜାଫରାବାଦରେ ସ୍ଥିତି ଅଣାୟତ । ପୋଲିସ ଗାଡି ଉପରକୁ ବିକ୍ଷୋଭକାରୀ ମାନେ ପଥରମାଡ ଜାରି ରଖିଛନ୍ତି । ପୋଲିସ ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା ଗ୍ୟାସ ଓ ଲାଠି ଚାର୍ଜ କରୁଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ରବିବାର ଠାରୁ ସିଏଏକୁ ନେଇ ଜାଫରାବାଦରେ ସୃଷ୍ଟି ହୋଇଥିବା ହିଂସା ସୋମବାର ଭୀଷଣ ରୂପ ନେଇଛି । ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ପଥରମାଡ଼ ଓ ପୋଡ଼ାଜଳାରେ ଏବେ ସୁଦ୍ଧା ୧୦ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଦିଲ୍ଲୀ ପୋଲିସର ହେଡ୍ ପୋଲିସ କନଷ୍ଟେବଳ ରତନଲାଲ ରହିଛନ୍ତି । ଏହାସହ ଏଥିରେ ୧୫୦ ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଅନ୍ୟପଟେ ଦିଲ୍ଲୀର ଉତରପୂର୍ବ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି ।