ଟାଇମ୍ସ ମାଗାଜିନର ତାଲିକାରେ “ଷ୍ଟାଚ୍ୟୁ ଅଫ ୟୁନିଟି”

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ସରଦାର ସରୋବର ଡ୍ୟାମ ଫଟୋ ସେୟାର କରି ଲୋକମାନଙ୍କୁ ଗୁଜୁରାଟରେ ତିଆରି ହୋଇଥିବା ଏହି ଡ୍ୟାମକୁ ଦେଖିବା ପାଇଁ ଯିବାକୁ ଅପିଲ କରିଛନ୍ତି ଏବଂ ଆଶା କରିଛନ୍ତି ଯେ ସେଠାକୁ ଯାଉଥିବା ପର୍ଯ୍ୟଟକମାନେ ଷ୍ଟାଚ୍ୟୁ ଅଫ ୟୁନିଟି ମଧ୍ୟ ଦେଖିବାକୁ ଯିବେ । 

ପ୍ରଧାନମନ୍ତ୍ରୀ ମୋଦୀ ଖୁସୀ ପ୍ରକଟ କରି କହିଛନ୍ତି ଯେ, ସରଦାର ସରୋବର ଡ୍ୟାମର ଜଳସ୍ତର ଐତିହାସିକ ଭାବେ ୧୩୪ ମିଟରରେ ପହଞ୍ଚିଛି ।

ପିଏମ ମୋଦୀ ଟ୍ୱିଟ କରି କହିଛନ୍ତି, “ଶିହରଣ କରିବା ପରି କିଛି ଫଟୋ ଏହି ଆଶାରେ ସେୟାର କରୁଛି ଯେ ଆପଣମାନେ ଏହି ପ୍ରସିଦ୍ଧ ସ୍ଥଳର ପରିଦର୍ଶନ କରିବେ ଏବଂ ଷ୍ଟେଚ୍ୟୁ ଅଫ ୟୁନିଟି ମଧ୍ୟ ବୁଲି ଦେଖିବେ” । ପିଏମ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଚଳତ ବର୍ଷ ଟାଇମ୍ସ ମାଗାଜିନର ୧୦୦ ପ୍ରସିଦ୍ଧ ସ୍ଥାନ ମଧ୍ୟରେ ସାମିଲ କରାଯାଇଛି । 

ପିଏମ ମୋଦୀ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି, କିଛି ଦିନ ପୂର୍ବେ ଗୋଟିଏ ଦିନରେ ଏଠାକୁ ରେକର୍ଡ ସଂଖ୍ୟକ ୩୪,୦୦୦ ଲୋକେ ଭ୍ରମଣ ପାଇଁ ଆସିଥିଲେ । ଏହା ଖୁସୀର କଥା ଯେ ଏହି ଡ୍ୟାମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳି ଭାବେ ଉଭା ହେଉଛି । 

ଉଲ୍ଲେଖଯୋଗ୍ୟ ଯେ ନର୍ମଦା ନଦୀର ଜଳସ୍ତର ବୃଦ୍ଧି ହେବା ଫଳରେ ଷ୍ଟାଚ୍ୟୁ ଅଫ ୟୁନିଟିର ଗ୍ୟାଲେରୀରୁ ସରଦାର ସରୋବର ଡ୍ୟାମ ଅତ୍ୟନ୍ତ ସୁନ୍ଦର ଦେଖାଯାଇଥାଏ । ବର୍ତ୍ତମାନ ଏହି ଡ୍ୟାମର ୧୫ଟି ଗେଟ ଖୋଲାଯାଇଛି । ଏପରି ସ୍ଥିତିରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଷ୍ଟାଚ୍ୟୁ ଅଫ ୟୁନିଟିର ସହ ସରଦାର ସରୋବର ଡ୍ୟାମର ମଧ୍ୟ ଉପଭୋଗ କରିପାରିବେ । 

ସୂଚନାଯୋଗ୍ୟ ଯେ ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର ଲମ୍ୱା ପ୍ରତିମୂର୍ତ୍ତି ନର୍ମଦା ନଦୀ ପଠାରେ ନିର୍ମାଣ କରାଯାଇଥିଲା, ଯାହା ଷ୍ଟେଚ୍ୟୁ ଅଫ ୟୁନିଟି ନାଁରେ ପରିଚିତ । ୨୦୧୮ ମସିହା ଅକ୍ଟୋବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ ।