ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହିଳା କମିଶନ ସଦସ୍ୟା

ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ବିରୋଧରେ ରାଜ୍ୟ ମହିଳା କମିଶନ ସଦସ୍ୟା ତଥା କଳାହାଣ୍ଡି ଜିଲ୍ଲାର ବିଜେଡି ନେତ୍ରୀ ତିଳୋତମା ନାୟକ ଅଭିଯୋଗ ଆଣିଛନ୍ତି । ବବି ତାଙ୍କୁ ଦୁର୍ବ୍ୟବହାର କରିବା ସହ ଘରୁ ତଡି ଦେଇଥିବା ତିଳୋତମା ଅଭିଯୋଗ କରିଛନ୍ତି । ଏଡି ଘଟଣାକୁ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଦେଖା କରିବାକୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନୂଆପଡା ଗସ୍ତରେ ଯାଇଥିବା କାରଣରୁ ସେ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଆଲୋଚନା କରିବେ ବୋଲି ଜଣାପଡିଛି । ତିଳୋତମା କହିଛନ୍ତି ଯେ, “ନିର୍ବାଚନ ପ୍ରସଙ୍ଗରେ ଆଜି ସକାଳେ ପ୍ରଣବଙ୍କୁ ଭେଟିବାକୁ ଯାଇଥିଲି। ସେଠାରେ ପ୍ରଣବ ମୋତେ ଗାଳିଗୁଲଜ କରିବା ସହ ସେଠାରୁ ବାହାର କରିଦେଇଥିଲେ।” “ମୁଁ ଜଣେ ଦଳିତ ମହିଳା। କଳାହାଣ୍ଡି ଜିଲ୍ଲାରୁ ନେତୃତ୍ୱ ନେଉଛି। ନିଷ୍ଠାପର ଭାବେ କାମ କରି ୱାର୍ଡମେମ୍ବରରୁ ମହିଳା କମିଶନ ସଦସ୍ୟା ପର‌୍ୟ୍ୟନ୍ତ ଆସି ପାରିଛି। ନବୀନ ବାବୁଙ୍କ ‘ମାଆକୁ ସମ୍ମାନ, ଗାଁକୁ କାମ’ ନାରାକୁ ମୁଁ ଭଲ ଭାବେ ତୁଲାଇଛି। ଜଣେ ନାରୀ ହିସାବରେ ନବୀନ ବାବୁ ମଧ୍ୟ ମୋତେ ବହୁତ ସମ୍ମାନ ଦେଇଛନ୍ତି। ହେଲେ ଆଜି ପ୍ରଣବ ବାବୁ ଯେଉଁ ପରି ବ୍ୟବହାର ଦେଖାଇଲେ, କେବେ ଏପରି ଅସମ୍ମାନିତ ହୋଇ ନଥିଲି।” “ନବୀନ ବାବୁ କହିଥିଲେ ଦଳରେ ୩୩ ପ୍ରତିଶତ ମହିଳାଙ୍କୁ ସ୍ଥାନ ଦିଆଯିବ। ଦଳ ପାଇଁ କାମ କରିଛୁ। ଆମର ବି କିଛି ଆଶା ରହିଛି। ଏଥିପାଇଁ ମୁଁ ବି କିଛି ଆଶା ରଖିଛି। ଗତ ୧୬ ତାରିଖରେ ମିଶନ ଶକ୍ତି କାର‌୍ୟ୍ୟକ୍ରମ ବେଳେ ବବି ଦାସ କଳାହାଣ୍ଡି ଜିଲ୍ଲାକୁ ଯାଇ ସେଠିକାର ସମସ୍ୟା ବୁଝିଥିଲେ। ଯେଉଁମାନଙ୍କ ସହ ଆଲୋଚନା କରିଥିଲି, ସମସ୍ତେ କହିଥିଲେ ବବି ଦାସଙ୍କ ପାଖକୁ ଯାଅ ସେ ସବୁ ବୁଝୁଛନ୍ତି ବୋଲି କହିଥିଲେ। ତେଣୁ ତାଙ୍କୁ ଦେଖା କରି ମୋ ଅଭିଯୋଗ ଜଣାଇବାକୁ ଚିନ୍ତା କରି ଆଜି ଆସିଥିଲି। ହେଲେ ସେ ଅଭିଯୋଗ ଶୁଣିବା ବଦଳରେ ଖରାପ ଭାଷାରେ ଗାଳିଗୁଲଜ କରି ତଡ଼ି ଦେଲେ। ମୁଁ ଜଣେ ମହିଳା କମିଶନ ସଦସ୍ୟା ହୋଇ ମଧ୍ୟ ଯଦି ଜଣେ ଶିକ୍ଷିତ ବିଧାୟକଙ୍କ ପାଖରୁ ଏମିତି ବ୍ୟବହାର ପାଉଛି, ତେବେ ମୁଁ ରାଜ୍ୟର ଅନ୍ୟ ମହିଳାଙ୍କୁ କେମିତି ସୁରକ୍ଷା ଦେବି ଏବେ ଚିନ୍ତା କରୁଛି। କେବଳ ମୋତେ ନୁହେଁ, ସେଠାରେ ଉପସ୍ଥିତ ଥିବା ଅନ୍ୟ କିଛି ମହିଳାଙ୍କୁ ମଧ୍ୟ ସେ ଏମିତି ବ୍ୟବହାର ଦେଖାଇଥିଲେ। ଯାହାର ପ୍ରତିବାଦ କରିବାରୁ ମୋତେ ଏମିତି ବ୍ୟବହାର ଦେଖାଇଥିଲେ।” ଅନ୍ୟପଟେ ଏହି ଘଟଣାକୁ ନେଇ ବବିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।