ମାଟ୍ରିକ୍‌ ସ୍କ୍ବାଡ୍‌ରେ ରହିବେ ଅଧ୍ୟାପକ

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷା ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୮ ତାରିଖ ପର‌୍ୟ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି, ଏଥିରେ କପି ରୋକିବା ପାଇଁ ଏଥର ସ୍କ୍ବାଡ୍‌ ବ୍ୟବସ୍ଥାରେ ସଂସ୍କାର ଅଣାଯିବ। ଏଥର ଫ୍ଲାଇଂ ସ୍କ୍ବା‌ଡ୍‌ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଅଧ୍ୟାପକମାନଙ୍କୁ ସାମିଲ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ସ୍କ୍ବାଡ୍‌ରେ ୧୦୨ ଜଣ ଅଧ୍ୟାପକଙ୍କୁ ସାମିଲ କରାଯିବ। ଫ୍ଲାଇଂ ସ୍କ୍ବାଡ୍‌ରେ ୫୮ଜଣ ଥିବା ବେଳେ ସ୍ବତନ୍ତ୍ର ସ୍କ୍ବାଡ୍‌ରେ ୪୪ଜଣ ଅଧ୍ୟାପକ ରହିଛନ୍ତି। ଏମାନେ ମାଟ୍ରିକ୍‌ ପରୀକ୍ଷା ସମେତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା, ମଧ୍ୟମା ପରୀକ୍ଷାରେ ସାମିଲ ହେବେ। ଗତ ୧୩ ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ ସଚିବ ଏନେଇ ଉଚ୍ଚଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନିର୍ଦେଶାଳୟର ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ସ୍କ୍ବାଡ୍‌ରେ ରହିବାକୁ ଥିବା ଅଧ୍ୟାପକମାନେ ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ପହଞ୍ଚିବାକୁ କୁହାଯାଇଛି। ଫ୍ଲାଇଂ ସ୍କ୍ବାଡ୍‌ରେ ସାମିଲ ହେବାକୁ ଥିବା ଅଧ୍ୟାପକମାନେ ୨୧ ତାରିଖ ପୂର୍ବାହ୍ନ ୧୧ଟାରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ରିପୋର୍ଟ କରିବାକୁ ନି‌ର୍ଦେଶ ଦିଆଯାଇଛି। ଯେଉଁ ଅଧ୍ୟାପକମାନେ ସ୍କ୍ବାଡ୍‌‌ରେ ରହିବେ ବୋଲି ‌ସ୍ଥିର ହୋଇଛି ସେମାନଙ୍କୁ ଛାଡ଼ିବା ଦିଗରେ କଲେଜ ଅଧ୍ୟକ୍ଷମାନେ ପଦକ୍ଷେପ ନେବାକୁ କୁହାଯାଇଛି।