ଦୁଇ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନରେ ଭାରତର ନିର୍ବାଚନ କମିଶନ ବହୁପ୍ରତୀକ୍ଷିତ ମହାରାଷ୍ଟ୍ର ଓ ହରିୟାଣାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏଥିରେ ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ସଂପର୍କୀତ ବିସ୍ତୃତ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା । ତାଙ୍କର ଘୋଷଣା ଅନୁଯାୟୀ ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।ଏଥପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧଭାବେ ଘୋଷଣା କରାଯିବ। ଅକ୍ଟୋବର ୨୪ ତାରିଖରେ ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଭୋଟ ଗଣତି ହେବ।

ସୂଚନାଯୋଗ୍ୟ ଆଗାମୀ ନଭେମ୍ବର୨ତାରିଖରେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ସରୁଛି ଏବଂ ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ନିର୍ବାଚନରେ ନିଜର ବିଜୟ ଅଭିଯାନ ଜାରି ରଖିବା ପାଇଁ ବିଜେପି ଓ ଶିବସେନା ଏକାଠି ହୋଇ ପୁଣି ଥିରେ ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେ । ସେହିପରି ହରିୟାଣାରେ ମନୋହର ଖଟ୍ଟର ସରକାର ନିଜର କ୍ଷମତା ଜାରି ରଖିବାକୁ ରଣନୀତି ପ୍ରସ୍ତୁତ କରୁଥିବା ଜଣାଯାଇଛି । ମହାରାଷ୍ଟ୍ରରେ ବିଧାୟକଙ୍କ ସଂଖ୍ୟା ୨୮୮ ଥିବା ବେଳେ ହରିୟାଣାରେ ବିଧାୟକଙ୍କ ସଂଖ୍ୟା ୯୦।