ଗଣତନ୍ତ୍ରକୁ ମଝବୁତ କରିଛି ଆମ ସମ୍ବିଧାନ – ଆଇନ୍‍ମନ୍ତ୍ରୀ

ଆଇନ୍‍ ବିଭାଗର ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବିଧାନ ଦିବସ ପାଳନ

ଭୁବନେଶ୍ୱର : ଆଇନ୍‍ ବିଭାଗର ପକ୍ଷରୁ ଆଜି ରାଜ୍ୟସ୍ତରୀୟ ସମ୍ବିଧାନ ଦିବସ ପାଳନ କରାଯାଇଛି । ରାଜ୍ୟ ଆଇନ୍‍ମନ୍ତ୍ରୀ ପ୍ରତାପ ଜେନା ଲୋକସେବାଭବନ ଠାରେ ଆୟୋଜିତ ଏହି ଉତ୍ସବକୁ ଉଦ୍‍ଘାଟନ କରିବା ସହିତ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ ସମ୍ପର୍କିତ ସଚେତନତା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ୭୦ବର୍ଷ ଧରି ଭାରତୀୟ ସମ୍ବିଧାନ ଆମର ଗଣତନ୍ତ୍ରକୁ ମଝବୁତ କରି ରଖିଛି । ଏକ ଆଧୁନିକ ସଂସଦୀୟ ଗଣତନ୍ତ୍ରରେ ସମ୍ବିଧାନ ହେଉଛି ଦିଗ୍‍ଦର୍ଶକ । ଭାରତୀୟ ସମ୍ବିଧାନ ସମଗ୍ର ବିଶ୍ୱରେ ସବୁଠାରୁ ଦୀର୍ଘ ଲିଖିତ ସମ୍ବିଧାନ ଓ ଆଇନ୍‍ଗତ ଗ୍ରନ୍ଥ । ଭାରତବର୍ଷରେ ବିବିଧତା ମଧ୍ୟରେ ଏକତା ରହିଛି । ଏହା ହେଉଛି ଆମ ଗଣତନ୍ତ୍ରର ସୁଦୃଢତାର ମୂଳମନ୍ତ୍ର । ଆମ ଦେଶରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ସାମାଜିକ ଏକତା ରହିଛି । ଆମ ସମ୍ବିଧାନ ଏସବୁ ସତ୍ୱେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବା ସହିତ ଦୁର୍ବଳଶ୍ରେଣୀର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇଛି । ସମ୍ବିଧାନର ମୁଖବନ୍ଧରେ ଭାରତ ଗୋଟିଏ ସମାଜବାଦ, ଧର୍ମନିରପେକ୍ଷ, ସାର୍ବଭୌମତ୍ୱ ଓ ଗଣତାନ୍ତ୍ରିକ ରାଷ୍ଟ୍ରବୋଲି ଉଲ୍ଲେଖ ରହିଛି । ବିନା ଭେଦଭାବରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେରେ ଦେଶର ସମସ୍ତ ନାଗରିକଙ୍କୁ ସମ୍ବିଧାନ ସମାନ ଅଧିକାର ପ୍ରଦାନ କରିଛି । ସମ୍ବିଧାନ ସମସ୍ତ ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଯୋଗାଇଛି । ନିଜର ଅଧିକାର ସାବ୍ୟସ୍ତ କଲାବେଳେ ନାଗରିକମାନେ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ । ସମ୍ବିଧାନରେ ଏ ନେଇ ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟ ସଂକ୍ରାନ୍ତରେ ଉଲ୍ଲେଖ ରହିଛି । ଏଥିରେ ଦେଶର ସୁରକ୍ଷା, ଆବଶ୍ୟକ ସମୟରେ ଦେଶ ପାଇଁ ସେବା, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା, ଜାତୀୟ ସମ୍ପତିର ସୁରକ୍ଷା ଆଦି ସ୍ଥାନ ପାଇଛି । ଦେଶ ଗଠନ ଦିଗରେ ସମସ୍ତଙ୍କର ମୌଳିକ ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ ବୋଲି ଶ୍ରୀ ଜେନା କହିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ ମୌଳିକ ଅଧିକାର ସମ୍ପର୍କିତ ଶପଥପାଠ କରାଇବା ସହିତ ଏ ସମ୍ପର୍କରେ ତାଙ୍କର ମତ ରଖିଥିଲେ । ଆଇନ୍‍ ବିଭାଗର ପ୍ରମୁଖ ସଚିବ ଶଶୀକାନ୍ତ ମିଶ୍ର ସମ୍ବିଧାନ ଦିବସର ଆୟୋଜନ ସମ୍ପର୍କରେ ଉଲ୍ଲେଖ କରିବା ସହିତ ନାଗରିକମାନଙ୍କର ଅଧିକାର ଓ କର୍ତ୍ତବ୍ୟ ସଂକ୍ରାନ୍ତରେ ଆଲୋକପାତ କରି ସମସ୍ତେ ସଚେତନ ହେବାପାଇଁ ପରାମର୍ଶ ଦେଇଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟର ଆଇନ୍‍ ବିଭାଗର ସହକାରୀ ପ୍ରଫେସର କାଭାଲ୍ୟା ଗାରିକପତି ସମ୍ବିଧାନ ଦିବସ ପାଳନ ଓ ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗର ଶାସନ ସଚିବମାନଙ୍କ ସହିତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।