ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଯାତ୍ରା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ମହାମାରୀ କରୋନା ପାଇଁ ସମସଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏହାରି ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ହଜାର ହଜାର ପ୍ରବାସୀ ଶ୍ରମିକ ଫଶି ରହିଛନ୍ତି । ପ୍ରବାସୀ ଶ୍ରମିକମାନଙ୍କକୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସମସ୍ତ ରାଜ୍ୟ ପ୍ରୟାସ କରୁଛନ୍ତି । ଓଡିଶାର ବହୁ ଶ୍ରମିକ ମଧ୍ୟ ଅନ୍ୟ ରାଜ୍ୟରେ ଫଶି ରହିଛନ୍ତି । ଅନ୍ୟ ରାଜ୍ୟରେ ଫଶି ରହିଥିବା ଶ୍ରମିକ ମାନଙ୍କୁ ଓଡିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଗତକାଲି ଭାରତୀୟ ରେଳବାଇ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯାଇଛି ।

ଶ୍ରମିକଙ୍କ ପାଇଁ ରେଳବାଇ ଚଳାଇଥିବା ସ୍ୱତନ୍ତ୍ର ଟ୍ରେନରେ ଟିକେଟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଜଣାପଡିଛି  । ସାରା ଦେଶରେ କରୋନା ଲକ ଡାଉନ ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।ତେବେ ବସରେ ଫେରୁଥିବା ଶ୍ରମିକ କିମ୍ବା ଛାତ୍ରଛାତ୍ରୀ ନିଜ ଖର୍ଚ୍ଚରେ ବସ ଭଡା କରି ଫେରୁଛନ୍ତି । କିନ୍ତୁ ଟ୍ରେନ ଯୋଗେ ଆସୁଥିବା ଶ୍ରମିକଙ୍କ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି ।

ଶ୍ରମିକମାନଙ୍କ ପାଇଁ ଚାଲୁଥିବା ଏହି ସ୍ପେଶାଲ ଟ୍ରେନରେ ପ୍ରତ୍ୟେକ ଶ୍ରମିକ ପିଛା ସ୍ଲିପର କ୍ଲାସ ଟିକେଟ ଭଡା ସହିତ ମିଲ ପାଇଁ ୩୦ ଟଙ୍କା ଓ ପାଣି ପାଇଁ ୨୦ ଟଙ୍କା ଲେଖାଏଁ ରେଳବାଇ ଚାର୍ଜ କରିବ ବୋଲି ଜଣାପଡିଛି । ଏହି ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।