୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ରେ ମଞ୍ଜୁରୀ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ର ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଲୋକସଭା ଭବନରେ ଆୟୋଜିତ ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ।

କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଗଣମାଧ୍ୟମଙ୍କୁ ସୂଚନା ଦେଇ କହିଛନ୍ତି ଯେ, କ୍ୟାବିନେଟ ବୈଠକରେ ଓଡ଼ିଶା କୃଷି ନୀତିକୁ ମଞ୍ଜୁରୀ ମିଳିଛି। ଏଥିରେ ଚାଷୀଙ୍କ ଆୟ ବଢ଼ାଇବାକୁ ୩ଟି ସୋପାନ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତି ନିଆଯାଇଛି। ଏହି ନୀତିରେ ଚାଷୀଙ୍କ ବଜାର ଓ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯିବ। ସେହିପରି ଢେଙ୍କାନାଳସ୍ଥିତ  ଓଡ଼ିଶା ଫଲିଫାଇଭର କମ୍ପାନିର ଷ୍ଟାମ୍ପ ଡ୍ୟୁଟି ଛାଡ଼କୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍‌ ମୋଟ ୨ କୋଟି ୧୫ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ଼କୁ ମଞ୍ଜୁରୀ ଦେଇଛନ୍ତି।

ଓଡ଼ିଶା ଷ୍ଟାଫ ସିଲେକସନ୍‌ କମିସନ(ଓଏସ୍‌ଏସ୍‌ସି) ଜରିଆରେ ଅମିନ, ରାଜସ୍ୱ ନୀରିକ୍ଷକ ଓ ସହାୟକ ରାଜସ୍ୱ ନୀରିକ୍ଷକ ପରୀକ୍ଷା କରାଯିବାକୁ ନିଷ୍ପତି ହୋଇଛି। ସେହିପରି ବୈଠକରେ ସହକାରୀ ପ୍ରଫେସର ପଦବିରେ ନିଯୁକ୍ତି ପାଇଁ ବୟସ ସୀମା ବଢ଼ିଛି। ଏହି ପଦ ପାଇଁ ବୟସ ୩୩ ପରିବର୍ତେ ୪୮ ବର୍ଷ ଯାଏଁ ବୃଦ୍ଧି କରାଯାଇଛି। ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କ ପାଇଁ  ବୟସ ସୀମା କୋହଳ କରାଯିବ ବୋଲି ନିଷ୍ପତି ହୋଇଛି।

ସେହିପରି ଓଡ଼ିଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ମଞ୍ଜୁରୀ ମିଳିଛି। ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି। ପୂର୍ବରୁ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ହେବ ବୋଲି ନିଷ୍ପତି ନିଆଯାଇ ଥିଲା। କ୍ୟାବିନେଟ୍‌ ବୈଠକରେ ରାଜସ୍ୱ ସେବା କ୍ୟାଡର ସଂଶୋଧନ କରାଯିବା ନେଇ ମଧ୍ୟ ନିଷ୍ପତି ହୋଇଛି।