ଆଜିଠୁ ଲୋକଙ୍କ ମନୋରଞ୍ଜନ କରିବ ରାମାୟଣ, ମହାଭାରତ

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଟ୍ୱିଟ କରି କହିଛନ୍ତି ୮୦ ଦଶକର ପୌରାଣିକ ଶୋ’ ରାମାୟଣ ଦ୍ୱିତୀୟ ଥର ପାଇଁ ଦୂରଦର୍ଶନରେ ପ୍ରସାରିତ ହେବ । ଦେଶରେ ବର୍ତମାନ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ ଜାରି ହୋଇଛି । ଏହାକୁ ଦେଖି ସରକାର ନିଷ୍ପତି ନେଇଛନ୍ତି ଦୂରଦର୍ଶନରେ ୧୯୮୦ରେ ପ୍ରସ୍ତୁତ ହୋଇଥିବା ରାମାନନ୍ଦ ସାଗରଙ୍କ ରାମାୟଣକୁ ପୁଣିଥରେ ପ୍ରସାରଣ କରାଯିବ ।

ରାମାୟଣର ପ୍ରଥମ ଏପିସୋଡ ସକାଳ ୯ ଟାରେ ଓ ଏହାର ପୁନଃପ୍ରସାରଣ ରାତି ୯ ଟାରେ ହେବ । ରାମାନନ୍ଦ ସାଗରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଧାରାବାହିକ ୮୦ ଦଶକର ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା । ରାମାୟଣକୁ ଜନତା ବେଶ ପସନ୍ଦ କରିବା ସହ ଆଜି ମଧ୍ୟ ମନେ ରଖିଛନ୍ତି । ଏହା ପୁଣିଥରେ ପ୍ରସାରଣ ହେବା ଘୋଷଣା ହେବାପରେ ସାରାଦେଶରେ ଲୋକଙ୍କ ମଧ୍ୟରେ ଖୁସି ଲାଗି ରହିଛି । ଏହି ରାମାୟଣରେ ରାମ ଚରିତ୍ର ନିଭାଇ ଲୋକଙ୍କ ହୃଦୟ ଜିଣିଥିବା ଅଭିନେତା ଅରୁଣ ଗୋବିଲ ଏହା ଜାଣିବା ପରେ ଖୁସି ବ୍ୟକ୍ତ କରିବା ସହ ଭଗବାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଅରୁଣ କହିଛନ୍ତି ରାମାନନ୍ଦ ସାଗରଙ୍କ ଦ୍ୱାରା ପ୍ରସ୍ତୁତ ରାମାୟଣ ସେତେବେଳେ ଲୋକଙ୍କ ଶ୍ରଦ୍ଧା, ସମ୍ମାନ ସହ ସମର୍ଥନ ପାଇଥିଲା । ଆଉ ଆଜି ମଧ୍ୟ ତାହା ଜାରି ରହିଛି । ସେ କହିଛନ୍ତି ମତେ ଲାଗୁଛି ସ୍ୱୟଂ ଭଗବାନ ଚାହୁଁଛନ୍ତି ଏହି ଶୋ’ ଆଉଥରେ ପ୍ରସାରିତ ହେଉ । ଯେଉଁଥିପାଇଁ ପ୍ରଭୁ ଆର୍ଶିବାଦ କରିଛନ୍ତି । ନଚେତ ଏତେ ପୁରୁଣା ଲୋକପ୍ରିୟ କାର୍ଯ୍ୟକ୍ରମକୁ ଏତେ ଦିନ ପରେ କାହିଁକି ଅଣାଯାଇଥାନ୍ତା । ସଂକଟ ସମୟରେ ଭଗବାନଙ୍କ ସହ ଯୋଡିହେବା ଓ ଭଗବାନଙ୍କ ଆର୍ଶିବାଦ କାମନା କରିବା ଜରୁରୀ । ଯଦି ଆମର ରାମାୟଣରେ ଲୋକଙ୍କୁ ଭକ୍ତି ମୁକ୍ତି ଓ ମାନସିକ ଶକ୍ତି ମିଳିବ ଏହା ଭଲ କଥା ବୋଲି ସେ କହିଛନ୍ତି ।

ଅରୁଣ ଆହୁରି କହିଛନ୍ତି ଏହା ଏକ ଆଧ୍ୟାତ୍ମିକ ଶୋ’ ଯାହା ପରିବାର ସହ ସମସ୍ତେ ଦେଖିପାରିବେ । ଏହା ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ଲୋକଙ୍କୁ ମାନସିକ ଦୁଶ୍ଚିନ୍ତାରୁ ଦୂରରେ ରଖିବ । ଲୋକଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଉତମ ରହିବ ।

ଅନ୍ୟପଟେ କେନ୍ଦ୍ର ପ୍ରସାରଣ ମନ୍ତ୍ରୀ ଆଉ ଏକ ଟ୍ୱିଟ କରି କହିଛନ୍ତି ମାର୍ଚ୍ଚ ୨୮ ( ଶନିବାର) ଠାରୁ ସେହି ଦୂରଦର୍ଶନ ଭାରତୀ’ରେ ମଧ୍ୟାହ୍ନ ୧୨ ଟା ଓ ସଂଧ୍ୟା ୭ ଟାରେ ମହାଭାରତ ପ୍ରତିଦିନ ଦୁଇଟି ଏପିସୋଡ ପ୍ରସାରିତ ହେବ । ସୂଚନାଯୋଗ୍ୟ ଯେ, ମହାମାରୀ କୋରୋନା ମୁକାବିଲା ପାଇଁ ସାରାଦେଶ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ ଥିବା ବେଳେ ଲୋକଙ୍କର ସମୟ ଅତିବାହିତ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।