ଆରମ୍ଭ ହେଲା ହିଙ୍ଗୁଳା ଯାତ୍ରା

ଅନୁଗୁଳ: ଆଜିଠାରୁ ତାଳଚେରର ଗୋପାଳପ୍ରସାଦଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କର ଯାତ୍ରା ଆରମ୍ଭ ହୋଇଛି । ଚଳିତବର୍ଷ ମା’ ହିଙ୍ଗୁଳା ମନ୍ଦିରର ପଛ ପାଖରେ ଅଗ୍ନି ରୂପରେ ଉଭା ହୋଇଛନ୍ତି । ମା’ଙ୍କର ଏହି ଅଗ୍ନିରୂପକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏହି ପୀଠକୁ ଆସୁଛନ୍ତି । ସମସ୍ତ ଭକ୍ତ ମା’ଙ୍କର ପ୍ରିୟ ଭୋଗ ଲିଆ, ଉଖୁଡା, ଘିଅ, ଘୋଟ, ଧୂପ, ଦୀପ ଆଦି ଦେଇ ପୂଜାର୍ଚ୍ଚନା କରିଥାନ୍ତି । ମା’ମାନେ ନିଜର ପିଲାମାନଙ୍କର ମଙ୍ଗଳକାମନା କରି ପିଲାର ଚୁଟି ମଣ୍ଡନ କରିଥାନ୍ତି । ଆଜି ମା’ଙ୍କ ପୀଠରେ ଦେହୁରୀ ପତିଆରଙ୍କୁ କ୍ଷୀର, ଗୁଡ ଦେଇ ପୂଜା କରିଥାଏ । କାରଣ ମା’ଙ୍କର ଶକ୍ତି ପତିଆରଙ୍କ ଦେହରେ ଥାଏ । ତେଣୁ ମଧ୍ୟାହ୍ନରେ ଦେହୁରୀ ପତିଆରଙ୍କୁ ଦିଅଘରୁ ଆଲୋମ ଶୋଭାଯାତ୍ରାରେ ପାଛୋଟି ଆଣିଥାନ୍ତି । ମା’ଙ୍କର ଏହି ପର୍ବ ୯ଦିନ ଧରି ଚାଲିଥାଏ । ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ । ଏହାକୁ ଦେଖିବାକୁ ଲୋକଙ୍କର ଭିଡ ଜମିଥାଏ । ଲୋକଙ୍କର ଭିଡକୁ ଦୃଷ୍ଟିରେ ରଖି ମା’ଙ୍କ ପୀଠରେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।