ସୁଲେମାନିଙ୍କ ଶବ ଶୋଭାଯାତ୍ରାରେ ଦଳାଚକଟା: ୩୫ ମୃତ

ତେହେରାନ: ଇରାନର ଜେନେରାଲ କାଶିମ୍ ସୁଲେମାନିଙ୍କ ଶବ ଶୋଭାଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ତେବେ ଏତେ ମାତ୍ରାରେ ଲୋକଙ୍କ ସମାଗମ ଫଳରେ ଦଳାଚକଟା ହୋଇଥିଲା । ଏହି ଦଳାଚକଟାରେ ୩୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ବାଗ୍‌ଦାଦ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦର ସମ୍ମୁଖରେ ଶୁକ୍ରବାର ଇରାନ୍‌ର କୁଦସ୍‌ ଫୋର୍ସର ମୁଖ୍ୟ ଜେନେରାଲ କାଶିମ୍‌ ସୁଲେମାନିଙ୍କ ମୃତ୍ୟୁ ଘଟିଥିଲା। ସୁଲେମାନିଙ୍କ ଜନ୍ମ ସହରରେ ତାଙ୍କର ଶବ ଶୋଭାଯାତ୍ରା ବାହାର କରାଯାଇ ତାଙ୍କୁ କବର ଦେବାପାଇଁ ନିଆ ଯାଉଥିବା ବେଳେ ଲକ୍ଷଲକ୍ଷ ଇରାନ୍‌ବାସୀ ତାଙ୍କ ଶବ ଶୋଭାଯାତ୍ରରେ ସାମିଲ ହୋଇଥିଲେ।

ଶବ ଶୋଭାଯାତ୍ରରେ ସାମିଲ ହୋଇଥିବା ଶୋକାକୁଳ ଜନତା ଜେନେରାଲ୍‌ କାଶିମ୍‌ ସୁଲେମାନିଙ୍କ ମୃତ୍ୟୁର ‘ଭୟବହ ପ୍ରତିଶୋଧ’ ନିଆଯିବ। ସୁଲେମାନିଙ୍କୁ ସହିଦ କରି ତାଙ୍କ ରକ୍ତରେ ନିଜର ହାତକୁ ରକ୍ତରଞ୍ଜିତ କରିଥିବା ଆମେରିକା ଓ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଭୟାନକ ପ୍ରତିଶୋଧ ନିଆଯିବ ଆଦି ସ୍ଲୋଗାନ୍‌ ଦେଇଥିଲେ।

ଏହି ସମୟରେ ଭିଡ଼କୁ ଆୟତ କରିବା ଅସମ୍ଭବ ହୋଇ ପଡ଼ିଥିଲା। ଫଳରେ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ଘଟିଥିଲା। ଏହି ଘଟଣାରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ବହୁ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା କହିଛି ଇରାନ୍‌ର ସରକାରୀ ସମ୍ବାଦ ପ୍ରସାରଣ ସଂସ୍ଥା। ଫଳରେ ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।