ଶ୍ରୀମନ୍ଦିର ସଂସ୍କାର ମାମଲା : ୨୦ରେ ପୁରୀ ଆସିବେ ସୁପ୍ରିମ୍କୋର୍ଟଙ୍କ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣିଅମ୍

ଭୁବନେଶ୍ୱର : ଶ୍ରୀମନ୍ଦିରରେ ଶୃଙ୍ଖଳା ରକ୍ଷା ଓ ସଂସ୍କାର ପ୍ରସଙ୍ଗର ସମୀକ୍ଷା ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ନ୍ୟାୟମିତ୍ର (ଆମିକସ୍ କ୍ୟୁରୀ)ଗୋପାଳ ସୁବ୍ରମଣିଅମ୍ ଗୁରୁବାର ପୁରୀ ପହଞ୍ଚିବେ । ୨୧ ତାରିଖ ଶୁକ୍ରବାର ଦିନ ଶ୍ରୀ ସୁବ୍ରମଣିୟମ୍ ଗଜପତି ମହାରାଜା ତଥା ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଦିବ୍ୟସିଂହ ଦେବ ଓ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଆଲୋଚନା କରିବେ । ଏହାପରଦିନ ଅର୍ଥାତ ୨୨ ତାରିଖ ଶନିବାର ଦିନ ସେବାୟତ, ଛତିଶା ନିଯୋଗଙ୍କ ସହ ଆଲୋଚନା କରି ଫେରିଯିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି । ମୃଣାଳିନୀ ପାଢ଼ୀ ବନାମ ଭାରତ ସରକାରଙ୍କ ମଧ୍ୟରେ ଏକ ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ୧୨ଟି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାଛଡ଼ା ପୁରୀ ଜିଲ୍ଲା ଜଜ୍ଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେବା ସହ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣିଅମ୍ଙ୍କୁ ନ୍ୟାୟମିତ୍ର ଭାବେ ନିଯୁକ୍ତ କରିଥିଲେ । ଏ ଭିତରେ ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର ସହ ଯୋଡ଼ା ହୋଇଥିବା ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବା ସହ ଦେଶର ବିଭିନ୍ନ ହିନ୍ଦୁ କ୍ଷେତ୍ରକୁ ପରିଦର୍ଶନ କରି କି ପ୍ରକାର ସଂସ୍କାର ମନ୍ଦିରରେ ଅଣାଯାଇ ପାରିବ ସେଥିନେଇ ନିଜର ଆଲୋଚନା ଜାରି ରଖିଛନ୍ତି । ଶ୍ରୀମନ୍ଦିରରେ ଥାଳିରେ ଦାନ ଦେବାକୁ ନିଷିଦ୍ଧ କରିବା ସହ ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଚୁଲା ଆବଣ୍ଟ ନରେ ସଂସ୍କାର ଆଣିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ହେଲେ ବଂଶାନୁକ୍ରମିକ ସେବା ଉଚ୍ଛେଦ ବାବଦରେ ଯେଉଁ ପ୍ରସ୍ତାବ ରହିଛି, ସେବାବଦରେ କିଛି ଫଇସଲା ହୋଇପାରି ନାହିଁ । ଏଣୁ ଏ ବାବଦରେ ନ୍ୟାୟମିତ୍ରଙ୍କୁ ନିଜର ପକ୍ଷ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କୁ ସୂଚନା ଦେଇଛି ।

ନ୍ୟାୟମିତ୍ରଙ୍କ ଏହା ହେଉଛି ପ୍ରଥମ ଗସ୍ତ । ଏହାଙ୍କ ରିପୋର୍ଟ ସୁପ୍ରିମ୍କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଦେବାରେ ସହାୟକ ହେବ । ଏହାପୂର୍ବରୁ ମନ୍ଦିର ନିର୍ମାଣ ମାମଲାରେ ହାଇକୋର୍ଟ ସ୍ୱତନ୍ତ୍ର ନ୍ୟାୟମିତ୍ର ନିଯୁକ୍ତ କରିଛନ୍ତି, ଯାହାଙ୍କ ହସ୍ତକ୍ଷେପ ଦ୍ୱାରା ଶ୍ରୀମନ୍ଦିରେ ମରାମତି କାର୍ଯ୍ୟ ସୁରୁଖୁରୁ ହୋଇପାରୁଛି । ଏବେ ସୁବ୍ରମଣିୟମ୍ଙ୍କ ରିପୋର୍ଟ ଉପରେ ଆଗକୁ ଶ୍ରୀମନ୍ଦିରର ପରମ୍ପରା ରକ୍ଷା ଏବଂ ସଂସ୍କାର ବାବଦରେ ବିହିତ ପଦକ୍ଷେପ ନିଆଯାଇପାରିବ ବୋଲି ଆଶା କରାଯାଉଛି ।