ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଜଟିଳ ହେଉଛି ରାଜନୀତି

ଭୁବନେଶ୍ବର : ରତ୍ନଭଣ୍ଡାର ଚାବି ରାଜନୀତି ଥମିନଥିବା ବେଳେ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳ ନେଇ ରାଜନୀତି ତେଜିଛି । ମୂଳ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ସରକାର ଏଭଳି ନିଷ୍ପତି ନେଇତିବା ବିରୋଧୀଙ୍କ ଅଭିଯୋଗ । ଚାବି ଚୋରି ନେଇ ଥାନାରେ ଏତଲା ନଦେଇ, ତଦନ୍ତ ନକରି, ପ୍ରଶାସକ ବଦଳାଇ ଲାଭ କଣ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ତେବେ ନୂଆ ଦାୟିତ୍ବ ନେଇଥିବା ମୁଖ୍ୟ ପ୍ରଶାସକ ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲି ନାହାଁନ୍ତି ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ରାଜନୀତି ଦିନକୁ ଦିନ ଜଟିଳ ହେଉଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ପ୍ରଦୀପ ଜେନାଙ୍କୁ ହଟାଇ ପ୍ରଦୀପ୍ତ ମହାପାତ୍ରଙ୍କୁ ଦାୟିତ୍ବ ଦେବା ନିଷ୍ପତିକୁ ନେଇ ଉଠିଛି କେଁ । ବିରୋଧୀଙ୍କ ପ୍ରଶ୍ନ, ମୁଖ୍ୟ ପ୍ରଶାସକ ବଦଳିଲେ ଚାବି ମିଳିଯିବ କି । ମୂଳ ସମସ୍ୟାକୁ ସରକାର କଭର ଅପ୍‌ କରିବାକୁ ଚେଷ୍ଟା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ପ୍ରଥମେ ବିଚାର ବିଭାଗୀୟ ତଦନ୍ତ କମିଶନ ଆଉ ଏବେ ଶ୍ରୀମନ୍ଦିର ପ୍ରଶାସକଙ୍କ ବଦଳି ନିଷ୍ପତ୍ତି । ଲୋକଙ୍କ ଭାବାବେଗ ଯେଉଁଥିରେ ଯୋଡା, ସେଥିରୁ ନଜର ହଟାଇବା ନେଇ ସରକାରଙ୍କ ପ୍ରୟାସ କାମ ଦେବନି ବୋଲି କହିଛନ୍ତି ବିରୋଧୀ । ଶାସକ ଦଳର ଯୁକ୍ତି, କେଉଁ ପଦରେ କିଏ ରହିବେ ତାହା ଏକ ସରକାରୀ ପ୍ରକ୍ରିୟା ।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବି ସରକାରୀ ପଦକ୍ଷେପକୁ ସମାଲୋଚନା କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳାଇବା ଆବଶ୍ୟକତା ନଥିଲା ବୋଲି ସେ କହିଛନ୍ତି । ତେବେ ନୂଆ ଦାୟିତ୍ବ ନେଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲିବାକୁ ମନା କରି ଦେଇଛନ୍ତି । କହିଛନ୍ତି ରଥଯାତ୍ରା କିଭଳି ସୂଚାରୁ ରୂପେ ହେବ ତାହା ପ୍ରାଥମିକତା ।

ରତ୍ନ ଭଣ୍ଡାର ଚାବି ହଜିବା ବିବାଦରେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉପଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର ଦେଇଛି ବିଜେପି ।