ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରହିତାଦେଶକୁ ସୁପ୍ରିମକୋର୍ଟଙ୍କ ନା

ଶ୍ରୀମନ୍ଦିର ପ୍ରକଳ୍ପ ବିରୋଧୀଙ୍କୁ ସୁପ୍ରିମକୋର୍ଟ ଝଟକା,ଆବେଦନକାରୀଙ୍କୁ ଅର୍ଥ ଦଣ୍ଡ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ସୁପ୍ରିମ୍ ଝଟକା । ପ୍ରକଳ୍ପ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦେଲେନି ଖଣ୍ଡପୀଠ । ବିରୋଧୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ । ଏଥିସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବନ୍ଦ କରିବାକୁ ଷଡ଼ଯନ୍ତ୍ର ରଚିଥିବା ଚକ୍ରାନ୍ତକାରୀମାନଙ୍କୁ ଲାଗିଛି ଶକ୍ତ ଧକ୍କା । ବେଆଇନ ପ୍ରକଳ୍ପ ନିର୍ମାଣ ହେଉଥିବା ଅଭିଯୋଗରେ ଦାଖଲ ଦୁଇଟି ଯାକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ କୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରକଳ୍ପ କାର୍ଯ୍ୟ ଚାଲୁ ଥିବାରୁ ଏହା ବନ୍ଦ କରିବା ଉଦ୍ୟମ ଉପରେ ଓଲଟି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । କୋର୍ଟଙ୍କ ବହୁମୂଲ୍ୟ ସମୟ ଅଯଥା ନଷ୍ଟ କରିଥିବାରୁ ଦୁଇ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ ।

ପରିକ୍ରମା ପ୍ରକଳ୍ପ ଚାଲୁ ରହିବ
ଶ୍ରୀମନ୍ଦିର ପ୍ରକଳ୍ପ ବିରୋଧୀଙ୍କୁ ସୁପ୍ରିମକୋର୍ଟ ଝଟକା
କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ଅର୍ଥ ଦଣ୍ଡ

ଅଭିଯୋଗ ଥିଲା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଆଇନ ଭାବେ ହେଉଛି ଏବଂ ଆମସା ଆଇନର ଉଲ୍ଲଂଘନ କରି ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ହେଉଥିବାରୁ ଏହା ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଛି । ଏହି ନିର୍ମାଣ ବନ୍ଦ କରିବା ପାଇଁ ହାଇକୋର୍ଟରେ ପୂର୍ବରୁ ମାମଲା ହୋଇଥିଲା। ମାତ୍ର ମେ’ ୯ ତାରିଖରେ ହାଇକୋର୍ଟ ତାଙ୍କ ରାୟରେ ନିର୍ମାଣ କାର୍ଯ୍ୟ ବନ୍ଦ କରି ନ ଥିଲେ । ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ଗତମାସ ୨୭ ତାରିଖରେ ଅର୍ଧେନ୍ଦୁ କୁମାର ଦାସ ଏବଂ ସୁମନ୍ତ କୁମାର ଘଡ଼େଇ ସୁପ୍ରିମକୋର୍ଟରେ ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଥିଲେ । ଶ୍ରୀଜଗନ୍ନାଥ ପ୍ରକଳ୍ପ କରିଡ଼ରରେ ବେଆଇନ ନିର୍ମାଣ କରାଯାଉଥିବା ସେମାନେ ଅଭିଯୋଗ ବାଢ଼ି ଏହାକୁ ବନ୍ଦ କରିବା ପାଇଁ ଆବେଦନ କରିଥିଲେ । ଜଷ୍ଟିସ୍ ବି.ଆର. ଗଭାଇ ଓ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗତକାଲି ଏହାର ଶୁଣାଣି ହୋଇଥିଲା । ପ୍ରଥମ ଆବେଦନକାରୀ ଅଦ୍ରେ୍ଧନ୍ଦୁ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନା ଏବଂ ଦ୍ୱିତୀୟ ଆବେଦନକାରୀ ସୁମନ୍ତ ଘଡ଼େଇଙ୍କ ପକ୍ଷରୁ ଆଇନଜୀବୀ ବିନୟ ନଭା ଖଣ୍ଡପୀଠଙ୍କ ଆଗରେ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଏବଂ ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ପ୍ରକଳ୍ପ ସପକ୍ଷରେ ଯୁକ୍ତି ଦର୍ଶାଇଥିଲେ ।
ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଗତକାଲି ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ ଏବଂ ଆଜି ଏହାର ରାୟ ଶୁଣାଇଥିଲେ ।