ରତ୍ନଭଣ୍ଡାର ଚାବି ହଜିବା ଘଟଣା : ଚୁଡାନ୍ତ ରିପୋର୍ଟ ଦେଲେ କମିଶନ

କଟକ : ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଠିତ ଜଷ୍ଟିସ୍ ରଘୁବୀର୍ ଦାସ କମିଶନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚୁଡାନ୍ତ ରିପୋର୍ଟ ପ୍ରଦାନ କରାଯାଇଛି । କମିଶନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଗୃହ ବିଭାଗର ଅନୁ ସଚିବ (ଅଣ୍ଡର ସେକ୍ରେଟାରୀ) ପି.କେ ଦେଙ୍କୁ ୨୯ ତାରିଖ ସଂଧ୍ୟାରେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେ ସମ୍ପର୍କରେ କମିଶନ ଏହି ରିପୋର୍ଟରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିବା ଜଣାଯାଇଛି । ୫ ଜଣଙ୍କର ସତ୍ୟପାଠ ଓ ୨ ଜଣଙ୍କର ସାକ୍ଷ୍ୟ ପ୍ରଦାନ ଆଧାରରେ କମିଶନ ୩୨୪ ପୃଷ୍ଟାର ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ୧୨ଟି ବୈଠକରେ ସବୁଠୁ କମ୍ ସମୟର ଅବଧ ଓ ସ୍ୱଳ୍ପ ଖର୍ଚ୍ଚରେ କମିଶନ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।

ଆସନ୍ତା ଡିସେମ୍ବର ୭ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା । ଦ୍ୱାଦଶ ଶତାଦ୍ଧୀରେ ନିର୍ମିତ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧଭାସ ତୀବ୍ର ହେବାରୁ ରାଜ୍ୟ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର୍ ଦାସଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତି ଦେଇଥିଲେ । ଆଇନ ବିଭାଗ ପକ୍ଷରୁ ଧାର୍ଯ୍ୟ ଟର୍ମ ଅଫ୍ ରେଫରେନସ୍ ମୁତାବକ କମିଶନଙ୍କ୍ୁ ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା । ପ୍ରଥମେ ଗତ ଜୁନ୍ ୮ରେ ଏ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହା ପରେ ଜୁଲାଇ ୩୦ରେ କମିଶନଙ୍କ ପ୍ରଥମ ବୈଠକ ବସିଥିଲା । ଏଥିରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସତ୍ୟପାଠ ଆହ୍ୱାନ କରାଯାଇଥିଲା ।

କମିଶନରେ ଏହି ମାମଲାରେ ଆଇନ ବିଭାଗ ମୁଖ୍ୟ ସଚିବ ଶଶୀକାନ୍ତ ମିଶ୍ର, ପୁରୀ ଟ୍ରେଜେରୀ ଅଫିସର୍ ରମାରଞ୍ଜନ ଦାସ, ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ୍ କୁମାର ଦାସ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ପୁରୀ ମୁକ୍ତିମଣ୍ଡପର ବ୍ରାହ୍ମଣ ସୂର୍ଯ୍ୟକାନ୍ତ ରଥ, ଦୁର୍ଗାପ୍ରସାଦ ମହାପାତ୍ର, ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟ ନାୟକ, ସଚେତନ ନାଗରିକ ସଘର ସଭାପତି ପ୍ରସନ୍ନ କୁମାର ଦାସ, ବରିଷ୍ଠ ନାଗରିକ ରାଜ୍ କୁମାର ମହାନ୍ତି, ହାଇକୋର୍ଟର କର୍ମଚାରୀ ନମୁଚୀ ଶବର, ବାବା ବଳିଆ ଟ୍ରଷ୍ଟ୍ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିଲା ।

ତେବେ କମିଶନଙ୍କ ଅବଧି ଶେଷ ହେବାରୁ କାର୍ଯ୍ୟକାଳ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନଙ୍କ ଅବଧିକୁ ଆଉ ତିନି ମାସ ବୃଦ୍ଧି କରାଯାଇଥିଲା । ତେବେ ମାମଲାର ଶୁଣାଣି କରି କମିଶନ ଆଇନ ବିଭାଗ ସଚିବ ଶ୍ରୀ ମିଶ୍ର, ପୁରୀ ଟ୍ରେଜେରୀ ଅଫିସର୍ ରମାରଞ୍ଜନ ଦାସ, ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ନିତି ପ୍ରଶାସକ ପ୍ରଦୀପ୍ କୁମାର ଦାସ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ପ୍ରମୁଖଙ୍କ ସତ୍ୟପାଠ ଓ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ କାଳୀ କୁମାର ରଥ ଏବଂ ରବିନ୍ଦ୍ର ନାରାୟଣ ମିଶ୍ରଙ୍କ ସାକ୍ଷ୍ୟ ପ୍ରଦାନ ଆଧାରରେ ଚୁଡାନ୍ତି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । କମିଶନଙ୍କ ସଚିବ ଶ୍ରୀ ପାଣିଗ୍ରାହୀ ଓ ଷ୍ଟେନୋ ଅଫିସର ସୋମନାଥ ପଣ୍ଡା ମାମଲାର ଶୁଣାଣିବେଳେ ସହାୟତା କରିଥିଲେ ।