୧ରୁ ଶ୍ରୀମନ୍ଦିର ପ୍ଲାଷ୍ଟିକ ମୁକ୍ତ, ପାନଛେପ ପକାଇଲେ ୫୦୦ଟଙ୍କା ଜରିମାନା

ଛତିଶା ନିଯୋଗ ବୈଠକ

ପୁରୀ: ଶ୍ରୀମନ୍ଦିର ପରିସରରେ ଏପ୍ରିଲ ୧ରୁ ପ୍ଲାଷ୍ଟିକ୍ ମୁକ୍ତ କରିବା ସହ ପାନଛେପ ପକାଇଲେ ୫୦୦ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଆଜି ଛିତଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ପରିସରରେ ଯେଉଁ ବ୍ୟକ୍ତି ପାନ ଛେପ ପକାଇବେ, ତାଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଛତିଶା ନିଯୋଗର ଏହି ବୈଠକରେ ମହାପ୍ରସାଦ କିପରି ଶୀଘ୍ର ବାହାରିବ ସେ ନେଇ ଆଲୋଚନା ହୋଇଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ବାହାର ପାର୍ଶ୍ୱକୁ ଏବେ ପରିଷ୍କାର ରଖାଯିବା ସହ ସୌନ୍ଦର୍ଯ୍ୟ ବଢ଼ାଯାଇଛି। ବଡ଼ଦାଣ୍ଡରେ ସେଡ ନିର୍ମାଣ କରାଯାଇ ଗଛ ଲଗାଯାଇଛି। ସେହିପରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

ପ୍ଲାଷ୍ଟିକ ମୁକ୍ତ ରାଜ୍ୟ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଆଗାମୀ ଦିନରେ ରାଜ୍ୟରେ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ। ସହରାଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗ ତଦାରଖ କରିବ। ସେହିପରି ଗ୍ରାମାଂଚଳରେ ପ୍ଲାଷ୍ଟିକ ନିଷିଦ୍ଧ କାର୍ଯ୍ୟକ୍ରମ ଦାୟିତ୍ୱ ପଚାଂୟତରାଜ ବିଭାଗକୁ ଦିଆଯିବ। ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ରୋକିବା ଦିଗରେ ଜଙ୍ଗଲ ଓ ପରିବେଶ ବିଭାଗ କାର୍ଯ୍ୟ କରିବ।