ନୂଆବର୍ଷରୁ ଟିକେଟେଡ୍ ଦର୍ଶନ, ଲାଗିବ ଅବଢ଼ା ଦର

ପୁରୀ : ଖୁବଶୀଘ୍ର ଶ୍ରୀମନ୍ଦିରରେ ଆରମ୍ଭ ହେବ ଟିକେଟେଡ୍ ଦର୍ଶନ ବ୍ୟବସ୍ଥା । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କେବଳ ଯେଉଁ ଭିଆଇପିମାନେ ଟିକେଟ୍ରେ ଦର୍ଶନ କରିବେ ସେମାନେ କେଉଁ ରାସ୍ତା ଦେଇ ପ୍ରବେଶ କରିବେ ଏବଂ ପ୍ରସ୍ଥାନ କରିବେ ତାହା ସ୍ଥିର କରାଯାଇନାହିଁ । ଟିକେଟ୍ର ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ ହୋଇନାହିଁ । ଖୁବ୍ଶୀଘ୍ର ଏହା କରାଯାଇ ପରିଚାଳନା କମିଟିରେ ଆଲୋଚନା ପରେ କାର୍ଯ୍ୟକାରୀ କରାଯିବ । ପୂର୍ବରୁ ସ୍ୱତ୍ୱଲିପି ଅନୁସାରେ ଶ୍ରୀମନ୍ଦିରରେ ପରିମାଣିକ ଟିକେଟ୍ ଦର୍ଶନ କରାଯାଉଥିଲା । ଜଗମୋହନ ମରାମତି କାରଣରୁ ତାହା ବନ୍ଦ ରହିଥିଲା । କିନ୍ତୁ ସ୍ୱତ୍ୱଲିପି ଅନୁଯାୟୀ ପରିମାଣିକ ଟିକେଟ୍ ଆୟରୁ ଯେଉଁଭଳି ସେବାୟତଙ୍କୁ ପାଉଣା ମିଳୁଥିଲା ଟିକେଟ୍ ଦର୍ଶନ ବନ୍ଦ ଥାଇ ମଧ୍ୟ ତାହା ଦିଆଯାଉଥିଲା । ଶ୍ରୀମନ୍ଦିରର କର୍ପସ ଫଣ୍ଡରୁ ପାଉଣା ଦେବାରେ ଅଧିକ ବ୍ୟୟ ହୋଇଯିବାରୁ ଗତ ଅଗଷ୍ଟରୁ ଏହା ବନ୍ଦ କରାଯାଇଛି । ମାତ୍ର ତାର ବିକଳ୍ପ ସ୍ୱରୂପ ଟିକେଟେଡ୍ ଦର୍ଶନ ଆରମ୍ଭ କରାଯିବ । ଫଳରେ ସେବାୟତମାନେ ପୂର୍ବ ଭଳି ସେମାନଙ୍କ ପ୍ରାପ୍ୟ ପାଉଣା ପାଇପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି ।

ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଲେ ଯେ ଟିକେଟ୍ଡେ ଦର୍ଶନ ବ୍ୟବସ୍ଥା କିଭଳି କରାଯିବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ପ୍ରତିହାରୀ ନିଯୋଗକୁ ଦାୟିତ୍ୱ ଦିଆଯାଇଥିଲା । ତାହା ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଛି । ଦେଶର ପ୍ରତ୍ୟେକ ମନ୍ଦିରରେ ଟିକେଟ୍ ଦର୍ଶନ ଏକ ପ୍ରମୁଖ ଆୟ ବ୍ୟବସ୍ଥା । ସେହିଭଳି ପନ୍ଥା ଆମେ ଅବଲମ୍ବନ କରିବୁ । ପରିମାଣିକ ଟିକେଟ୍ର ମୂଲ୍ୟ ୨୦ଟଙ୍କାରୁ ୧୦୦ଟଙ୍କାରେ ପହଞ୍ଚିଥିଲା । ତାକୁ ଲକ୍ଷ୍ୟ ରଖି ଟିକେଟେଡ୍ ଦର୍ଶନ ପାଇଁ ମୂଲ୍ୟ ନିର୍ଦ୍ଧାରଣ କରାଯିବ । ସେହିପରି ଆନନ୍ଦ ବଜାରରେ ନୂଆବର୍ଷରେ ଅବଢ଼ା ଦର ମରାଯିବ । ଏ ସଂକ୍ରାନ୍ତରେ ତନଖି କାର୍ଯ୍ୟ ଶେଷ ହୋଇଛି । କେବଳ ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଅବଢ଼ା ଦର ମରାଯିବ । ଶ୍ରୀ ମହାପାତ୍ର କହିଥିଲେ ଯେ ନୂଆବର୍ଷରେ ଶ୍ରୀମନ୍ଦିରରେ ପ୍ରାୟ ୬ଲକ୍ଷ ଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପୂର୍ବ ନିର୍ଦ୍ଧାରିତ ମତେ ମହାପ୍ରଭୁଙ୍କ ନୀତି ପୌଷ ମାସରେ ପାଳିତ ହେବ । କେବଳ ଜନଗହଳି ସ୍ଥିତିକୁ ଦେଖି ଆବଶ୍ୟକ ସ୍ଥଳେ ନୀତିରେ ପରିବର୍ତ୍ତନ କରାଯିବ । ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ବାହାରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଉଛି । ମନ୍ଦିର ଚତୁଃପାଶ୍ୱର୍ ରାସ୍ତାକୁ ପ୍ରଶସ୍ତ ରଖାଯିବ । ଉତ୍ତରପାଶ୍ୱର୍ ମଠ ପାଖରେ ଥିବା ଦୋକାନଗୁଡିକୁ ଅସ୍ଥାୟୀ ଭାବେ ଉଠାଇ ଦିଆଯିବ । ସପ୍ତାହରେ ଆପାତତଃ ଥରେ ଅଗ୍ନିଶମ ବିଭାଗ ମନ୍ଦିର ଚାରିପଟେ ପାଣି ସ୍ପ୍ରେ କରିବେ । ଫଳରେ ପରିବେଶ ସଫାସୁତୁରା ରହିବ । ଯାତ୍ରୀମାନଙ୍କୁ ମଧ୍ୟ ଅନୁରୋଧ ରାସ୍ତାରେ ଆବର୍ଜନା ପକାଇବେ ନାହିଁ । ସ୍ୱଚ୍ଛ ପରିବେଶ ପ୍ରତି ଧ୍ୟାନ ଦେବେ । ମହାପ୍ରଭୁଙ୍କ ନୀତି ପ୍ରାୟତଃ ଠିକ୍ଠାକ୍ ଚାଲିଛି । ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନିଦ୍ୱାର ଦେଇ ପଣ୍ଡାମାନେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ଛଡାଯାଉ ନାହିଁ ବୋଲି ଅଭିଯୋଗ ଉପରେ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଥିଲେ ଯେ ସିଂହଦ୍ୱାର ବ୍ୟତୀତ ତିନିଦ୍ୱାର ଦେଇ ବରିଷ୍ଠ ନାଗରିକମାନଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉଛି । ଯଦି କୌଣସି ପଣ୍ଡା ଯାତ୍ରୀମାନଙ୍କୁ ନେଇ ତିନିଦ୍ୱାର ବାଟେ ମନ୍ଦିର ଭିତରକୁ ଯାଉଥିବେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନାଟ ମନ୍ଦିର ମରାମତି ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରେ ସେ କହିଥିଲେ, ନାଟ ମଣ୍ଡପରେ ଯେଉଁ ଜାଗାରେ ଫାଟ ହୋଇଛି ତାହାକୁ ମାପିବା ନିମନ୍ତେ ମିଟର ଲଗାଯାଇଛି । ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରେ କୋର୍ କମିଟି ସହିତ ଶ୍ରୀମନ୍ଦିର ପ୍ରଶାସନର ବୈଠକ ବସିବ । ତା ପୂର୍ବରୁ ବିମଳା, ଲକ୍ଷ୍ମୀ ମନ୍ଦିର ଓ ନାଟ ମନ୍ଦିରର ଉପରିଭାଗ କାମ ଶେଷ ହେବ । ନୂଆବର୍ଷରେ ସିଂହଦ୍ୱାର ରଙ୍ଗ କରିବା ପାଇଁ ଏଏସ୍ଆଇକୁ କୁହାଯାଇଛି ।