ଶ୍ରୀଲଙ୍କା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି, ୨୪ ଗିରଫ

କଲୋମ୍ବୋ: ଶ୍ରୀଲଙ୍କାର ବିଭିନ୍ନ ଚର୍ଚ୍ଚ ଏବଂ ବିଳାସପୂର୍ଣ୍ଣ ହୋଟେଲରେ ବୋମ୍ବା ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ସୋମବାର ୨୯୦କୁ ବୃଦ୍ଧି ପାଇଛି। ସେହିପରି ପାଖାପାଖି ୫୦୦ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ସହ ସଂଶ୍ଳିଷ୍ଟ ୨୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅନ୍ୟପଟେ ମୃତକଙ୍କ ମଧ୍ୟରେ ୫ ଭାରତୀୟଙ୍କ ସମେତ ୩୫ ଜଣ ବିଦେଶୀ ନାଗରିକ ରହିଛନ୍ତି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ସୋମବାର ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ତେବେ ଏହା ପଛରେ ତୌହିଦ ଜମାତ ସଂଗଠନର ହାତ ଥିବା ନେଇ ସନ୍ଦେହ କରାଯାଉଛି। ଏହା ଏକ ଇସ୍‌ଲାମିକ ସଂଗଠନ। ଏହାର ଏକ ଅଂଶ ଭାରତର ତାମିଲନାଡୁରେ ସକ୍ରିୟ ରହିଛି।

ସୂଚନାଯୋଗ୍ୟ, ରବିବାର ଦିନ ଶ୍ରୀଲଙ୍କାର ଭିନ୍ନ ଭିନ୍ନ ୮ଟି ସ୍ଥାନରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ବିଶେଷ କରି ଚର୍ଚ୍ଚ ଏବଂ ବିଦେଶ ଅତିଥିମାନେ ରହୁଥିବା ହୋଟେଲଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଏହାବ୍ୟତୀତ କଲୋମ୍ବୋର ମୁଖ୍ୟ ବିମାନବନ୍ଦରରୁ ଏକ ବୋମା ଜବତ ହୋଇଥିଲା। ରବିବାର ରାତିରେ ତାହାକୁ ନିଷ୍କ୍ରିୟ କରିଦିଆଯାଇଛି। ତେବେ ଘଟଣା ପରେ ଦେଶବ୍ୟାପୀ ଜାରି ହୋଇଥିବା କର୍ଫ୍ୟୁକୁ ସୋମବାର ସକାଳୁ ପ୍ରତ୍ୟାହାର କରାଯାଇଛି। ଆକ୍ରମଣ ସ୍ଥଳ ସେଣ୍ଟ ସେବାଷ୍ଟିଆନ ଚର୍ଚ୍ଚ ଆଖପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିସ୍ଫୋରଣଗୁଡ଼ିକ ମଧ୍ୟରୁ ୨ଟି ବିସ୍ଫୋରଣ ଆତ୍ମଘାତୀ ଆକ୍ରମଣକାରୀଙ୍କ ଦ୍ବାରା କରାଯାଇଥିବା ସୂଚନା ମିଳିଛି।