ଶ୍ରୀଧର ପାତ୍ରଙ୍କୁ NALCOର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର : ରାଷ୍ଟ୍ରାୟତ୍ତ ଉଦ୍ୟୋଗ NALCO ନୂତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (CMD) ଭାବେ ଶ୍ରୀଧର ପାତ୍ର ଯୋଗ ଦେଇଛନ୍ତି । କମ୍ପାନୀରେ ଅର୍ଥ ବିଭାଗର ନିର୍ଦ୍ଦେଶକ ରୂପେ କାର୍ଯ୍ୟରତ ଶ୍ରୀପାତ୍ରଙ୍କୁ ନାଲ୍କୋର ପୂର୍ଣ୍ଣକାଳୀନ CMD ଦାୟିତ୍ୱ ଦିଆଯାଇଛି । କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି ପ୍ରଦାନକାରୀ କମିଟି (ଏସିସି) ଶ୍ରୀ ପାତ୍ରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି ।
୨୦୨୪ ଅକ୍ଟୋବର ୩୧ରେ ଅବସର ନେବା ପର୍ଯ୍ୟନ୍ତ ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସେ ଏହି ଦାୟିତ୍ୱ ନିର୍ବାହ କରିବେ । କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ NALCO CMD ପଦ ନିମିତ୍ତ ଶ୍ରୀ ପାତ୍ରଙ୍କ ନାଁ ପ୍ରସ୍ତାବ ଦିଆଯାଇଥିବାବେଳେ ଏସିସି ଏହାକୁ ମଞ୍ଜୁର କରିଛି । ପ୍ରକାଶଯୋଗ୍ୟ, NALCO ପୂର୍ବତନ CMD. ତପନ କୁମାର ଚାନ୍ଦ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ଶ୍ରୀ ପାତ୍ରଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ଅତିରିକ୍ତ ଭାବେ CMD ଦାୟିତ୍ୱ ତୁଲାଇବା ପାଇଁ ଶ୍ରୀ ପାତ୍ରଙ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା । ୨୦୧୮ ସେପ୍ଟେମ୍ବରରେ ସେ NALCO ଅର୍ଥ ବିଭାଗୀୟ ନିର୍ଦ୍ଦେଶକ ରୂପେ ଦାୟିତ୍ୱ ନେଇଥିଲେ ।