ମାର୍ଚ୍ଚ ୫ରେ ହେବ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

ନୂଆଦିଲ୍ଲୀ: ବୁଧବାର ସୁପ୍ରିମ୍‌ କୋର୍ଟରେ ଶୁଣାଣି ଲାଗି ଧାର‌୍ୟ୍ୟ କରାଯାଇଥିବା ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣିକୁ ଆସନ୍ତା ମାର୍ଚ୍ଚ୫ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ତିନିଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଏକେ ସିକ୍ରି ଆଜି ଅନୁପସ୍ଥିତ ଥିବା କାରଣରୁ ଆଜି ମାମଲାର ଶୁଣାଣି ହୋଇ ପାରିନାହିଁ। ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ମଧ୍ୟ ତାଙ୍କ ରିପୋର୍ଟ ଆଜି ସୁପ୍ରିମ୍‌ କୋର୍ଟରେ ଦାଖଲ କରି ନ ପାରି ଅଧିକ ସମୟ ମାଗିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶକ୍ରମେ ଫେବ୍ରୁଆରି ୨୨ ଓ ୨୩ ତାରିଖ ଦିନ ସେ ଶ୍ରୀମନ୍ଦିର ପରିଦର୍ଶନରେ ଆଦି ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ଏହାକୁ ଭିତ୍ତି କରି ସେ ଆଜି ସୁପ୍ରିମ୍‌ କୋର୍ଟରେ ରିପୋର୍ଟ ଦାଖଲ କରିବା କଥା। ମନ୍ଦିର ସଂସ୍କାର ସଂକ୍ରାନ୍ତରେ ସେ ବହୁ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି, ତେଣୁ ରିପୋର୍ଟ ପ୍ରସ୍ତୁତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି। ଆସନ୍ତା ୫ ତାରିଖ ଦିନ ହେବାକୁ ଥିବା ଶୁଣାଣି ସମୟରେ ସେ ତାଙ୍କ ରିପୋର୍ଟ ଦାଖଲ କରିବେ ବୋଲି ଆଶା କରାଯାଉଛି।