ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ: ବିଜୟୀ ଗୋଟବାୟାଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ ମୋଦୀ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ଗୋଟବାୟା ରାଜପକ୍ଷ ବିଜୟୀ ହୋଇଛନ୍ତି । ସେ ଶ୍ରୀଲଙ୍କାରେ କ୍ଷମାତାଶୀନ ଦଳର ପ୍ରାର୍ଥୀ ସଜୀତ ପ୍ରେମଦାସଙ୍କୁ ବଡ ବ୍ୟବଧାନରେ ପରାସ୍ତ କରିଛନ୍ତି । ଯାହାପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟବାୟା ରାଜପକ୍ଷଙ୍କୁ ବିଜୟରୁ ଶୁଭେଚ୍ଛା ଜଣାଇଛନ୍ତି ।  ପିଏମ ମୋଦୀ ଟ୍ୱିଟ କରି କହିଛନ୍ତି, ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବାରୁ ଗୋଟବାୟା ରାଜପକ୍ଷଙ୍କୁ ଶୁଭେଚ୍ଛା । ଦୁଇ ଦେଶ ଏବଂ ନାଗରିକଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ପ୍ରଗାଡ କରିବା, ଶାନ୍ତି ଏବଂ ସମୃଦ୍ଧି ସହ ଆଞ୍ଚଳିକ ସୁରକ୍ଷା ପାଇଁ ଆପଣଙ୍କ ସହ ମିଶି କାମ କରିବାକୁ ଆଶା କରୁଛି ।  

ଶ୍ରୀଲଙ୍କାର କ୍ଷମତାଶୀନ ଦଳର ପ୍ରାର୍ଥୀ ସଜୀତ ପ୍ରେମଦାସ ଦେଶର ରାଷ୍ଟ୍ରପତି ନିର୍ବାଚନରେ ନିଜର ପରାଜୟକୁ ସ୍ୱିକାର କରିଛନ୍ତି ଏବଂ ନିଜର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ରକ୍ଷା ସଚିବ ଗୋଟବାୟା ରାଜପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରେମାଦାସ ପରାଜୟ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଲୋକଙ୍କ ରାୟକୁ ସମ୍ମାନ କରିବା ଏବଂ ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଗୋଟବାୟା ରାଜପକ୍ଷଙ୍କୁ ଶୁଭେଚ୍ଛା ଜଣାଇବା ମୋ ପାଇଁ ସୌଭାଗ୍ୟର କଥା । ଯଦିଓ ବର୍ତ୍ତମାନ ସୁଦ୍ଧା ଏହାର ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ୨୦୧୫ରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବବା ସିରିସେନା ଚଳିତ ଥର ନିର୍ବାଚନ ଲଢି ନଥିଲା । ଶ୍ରୀଲଙ୍କାରେ ରାଷ୍ଟ୍ରପତି ସିରିସେନାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଶନିବାର ଦିନ ମତଦାନ ହୋଇଥିଲା । ରାଷ୍ଟ୍ରୀୟ ନିର୍ବାଚନ ଆୟୋଗରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ୮୦ ପ୍ରତିଶତ ମତଦାନ ହୋଇଛି । ମତଦାନ ଶେଷ ହେବା ପରେ ଦେଶର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ସାମ୍ୱାଦିକଙ୍କୁ କହିଛନ୍ତି, ଆମେ ନିଷ୍ପକ୍ଷ ନିର୍ବାଚନ ପ୍ରକ୍ରିୟା କରିବା ସୁନିଶ୍ଚିତ କରିଥିଲୁ ।