ବରେଣ୍ୟଙ୍କ ପାଇଁ ଏକାଠି ହେଲେ ଶାସକ ଓ ବିରୋଧୀ,ଅଟଳଜୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତରତ୍ନ ସ୍ୱର୍ଗତଃ ଅଟଳଜୀଙ୍କୁ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଆଜି ପ୍ରଦର୍ଶନୀ ପଡିଆରେ ସର୍ବଦଳ ନିର୍ବିଶେଷରେ ଅଟଳ ଜୀଙ୍କୁ ହୃଦୟରୁ ଭଲ ପାଉଥିବା ନେତା ମାନେ ପ୍ରାର୍ଥନା ସଭା ସ୍ଥଳରେ ପହଂଚି ସ୍ୱର୍ଗତଃ ଅଟଳ ଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ପ୍ରାର୍ଥନା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ମନ୍ତ୍ରୀ, ବିରୋଧୀଦଳ ନେତା ନରସିଂହ ମିଶ୍ର, ରାଜ୍ୟ କଂଗ୍ରେସ କମିଟି ସଭାପତି ନିରଜଂନ ପଟ୍ଟନାୟକଙ୍କ ସମେତ ବହୁ ସାସଂଦ ଓ ବିଭିନ୍ନ ଦଳର ନେତା, ସାମ୍ବାଦିକ, ବୁଦ୍ଧିଜୀବି, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ , ସମାଜସେବୀ, ସାଧୁସନ୍ଥ, ସ୍ୱର୍ଗତଃ ଅଟଳ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ ।
‘ବାଜପେୟୀଙ୍କ ବିୟୋଗ ମୋ ପାଇଁ ଏବଂ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟ ରଖିଥିଲେ । ସେ ଜଣେ ଆଦର୍ଶ କବି ସହ ଆଦର୍ଶବାଦ ଓ ସହନଶୀଳତାର ପ୍ରତୀକ ଥିଲେ । ରାଜନୀତିରେ ସହନଶୀଳତା ତାଙ୍କ ଠାରୁ ଶିଖିବାର କଥା । ମେଂଟ ସରକାର ପରିଚାଳନା କଳା ବାଜପେୟୀ ଭଲ ଭାବେ ଜାଣନ୍ତି । ଓଡିଶା ପାଇଁ ଅଟଳ ଜୀଙ୍କ ହୃଦୟ ଉଦାର ଓ ପ୍ରଶସ୍ଥ ଥିଲା । ଆମେ ତାଙ୍କୁ ହରାଇ ମ୍ରିୟମାଣ’ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ।
ସେହିପରି ବିରୋଧୀଦଳ ନେତା ନରସିଂହ ମିଶ୍ର ସ୍ୱର୍ଗତଃ ଅଟଳଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଛନ୍ତି । ‘ବାଜପେୟୀ ରାଜନୀତିରୁ ଉଦ୍ଧ୍ୱର୍ରୁ ରହି କାର୍ଯ୍ୟ କରୁଥିଲେ । ସମସ୍ତଙ୍କୁ ଏକାଠି କରି ଆଗକୁ ନେବାର ଦକ୍ଷତା ତାଙ୍କର ଥିଲା । ସେ ପ୍ରକୃତରେ ଅଜାତ ଶତ୍ରୁ’ ବୋଲି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଛନ୍ତି ।
ଓଡିଶା ପ୍ରତି ଥିବା ସ୍ୱର୍ଗତଃ ବାଜପେୟୀଙ୍କ ଅବଦାନକୁ ମନେ ପକାଇଥିଲେ ଭାଜପାର ବରିଷ୍ଠନେତା ବିଶ୍ୱଭୂଷଣ ହରିଚନ୍ଦନ । ‘୧୯୭୧ ମସିହାରୁ ଅଟଳ ଜୀଙ୍କ ସଂସ୍ପର୍ଶରେ ମୁଁ ଆସିଛି । ମହାବାତ୍ୟା ପରେ ଓଡିଶାରେ ଅଭାବ ରହିବ ନାହିଁ କହି ସମସ୍ତ ପ୍ରକାରର ସହାୟତା ସେ ଯୋଗାଇ ଦେଇଥିଲେ । ମହାବାତ୍ୟା ପରେ ନବନିର୍ମାଣ ଓଡିଶାର ନିର୍ମାଣ ସ୍ୱର୍ଗତଃ ଅଟଳ ଜୀଙ୍କ ଅବଦାନ’ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

‘ବାଜପେୟୀ ଥିଲେ ଭାରତ ରାଜନୀତି ଆକାଶର ଅଦ୍ୱିତୀୟ ଧ୍ରୁବତାରା । ଧ୍ରୁବତାରା ଦେଖି ଯେପରି ଦିଗ ଜାଣି ହୁଏ ସେହିପରି ଦଳ ମତ ନିର୍ବିଶେଷରେ ସ୍ୱର୍ଗତଃ ବାଜପେୟୀଙ୍କୁ ଅନୁସରଣ କରି ଆମେ ରାଜନୈତିକ ଶିଷ୍ଟାଚାର, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ରାଷ୍ଟ୍ରୀୟବାଦ ଜାଣିଥିଲୁ । କ୍ଷମତାରେ ଥାଇ ମଧ୍ୟ କ୍ଷମତା ଠାରୁ ସେ ଦୂରେଇ ରହିବାରେ ନିପୂଣ ଥିଲେ । ସେ ଲୋକପ୍ରିୟ ଏବଂ ଦକ୍ଷ ପ୍ରଧାନମନ୍ତ୍ରୀ ଥିଲେ’ ବୋଲି ରାଜ୍ୟ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଜଂନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ।
ସେହପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସ୍ୱର୍ଗତଃ ଅଟଳ ଜୀଙ୍କୁ ମନେ ପକାଇ ନିଜ ଅଭିଜ୍ଞତା ବଖାଣିଥିଲେ । ‘ମନ୍ତ୍ରୀ ଥିବାବେଳେ ବାଜପେୟୀଙ୍କୁ ମାସକୁ ଥରେ ଭେଟି ଜନଜାତି ସଂର୍ପକରେ ଆଲୋଚନା କରୁଥିଲି । ମୋର ସଫଳତା ପଛରେ ବାଜପେୟୀଙ୍କ ହାତ ରହିଛି’ ବୋଲି ଶ୍ରୀ ଓରାମ ତାଙ୍କ ବକ୍ତବ୍ୟରେ କହିଥିଲେ ।
‘ମହାବାତ୍ୟା ପରେ ଓଡିଶାର ଅଭାବ ରହିବ ନାହିଁ । ଜାତୀୟ ରାଜମାର୍ଗ ୧୬ଶହ କିମିକୁ ୩୨ ଶହ କିମି କରାଇବା ଥିଲା ଅଟଳ ଜୀଙ୍କ ଓଡିଶା ପ୍ରତି ପ୍ରମୁଖ ଅବଦାନ ଥିଲା । ଓଡିଶାରେ ମରୁଡି ହୋଇଥିବାବେଳେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଅଟଳ ଜୀ ଟ୍ରେନରେ ଯାତ୍ରା କରି କେସିଙ୍ଗା ରେଳ ଷ୍ଟେସନରୁ ଭୁବନେଶ୍ୱର ଆସି ସ୍ୱର୍ଗତଃ ବିଜୁ ବାବୁଙ୍କୁ ଅବଗତ କରାଇଥିଲେ । ପଣ୍ଡିତ ନେହୁରଙ୍କ ପରେ ଭାରତ ବର୍ଷରେ ସର୍ବସ୍ତରୀୟ ନେତା ଥିଲେ ଅଟଳ ବିହାରୀ ବାଜପେୟୀ’ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଏହି ପ୍ରାର୍ଥନା ସଭାରେ ରାଜ୍ୟସଭା ସାସଂଦ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ରଂଜନ ପଟ୍ଟନାୟକ, ଭୁବନେଶ୍ୱର ସାଂସଦ ପସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ପୂର୍ବତନ ସାସଂଦ ତଥା ଉକ୍ରଳ ଭାରତର ସଭାପତି ଖାରବେଳ ସ୍ୱାଇଁ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଅଶୋକ ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସମେତ ବିଭିନ୍ନ ଦଳର ନେତା ସାମିଲ ଥିଲେ ।
ସ୍ୱର୍ଗତଃ ଅଟଳୀଙ୍କ ଏହି ପ୍ରାର୍ଥନା ସଭାରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ,ସାସଂଦ ରଘୁନାଥ ମହାପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିଧାୟକ ଦଳ ନେତା କେ.ଭି ସିଂହଦେଓ, ପୂବତନ ମନ୍ତ୍ରୀ ମନମୋହନ ସାମଲ, ଜୟନାରାୟଣ ମିଶ୍ର, ସୁରମା ପାଢୀ, ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ , ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଅନନ୍ତ ନାୟକଙ୍କ ସମେତ ବହୁ ଦଳୀୟ ନେତା ପ୍ରମୁଖ ସାମିଲ ଥିଲେ ।

 ବାଜପେୟୀଙ୍କ ବିୟୋଗ ମୋ ପାଇଁ ଏବଂ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି : ମୁଖ୍ୟମନ୍ତ୍ରୀ
 ବାଜପେୟୀ ରାଜନୀତିରୁ ଉଦ୍ଧ୍ୱର୍ରୁ ରହି କାର୍ଯ୍ୟ କରୁଥିଲେ : ବିରୋଧୀ ଦଳ ନେତା ନରସିଂହ ମିଶ୍ର
 ମହାବାତ୍ୟା ପରେ ନବନିର୍ମାଣ ଓଡିଶାର ନିର୍ମାଣ ସ୍ୱର୍ଗତଃ ଅଟଳ ଜୀଙ୍କ ଅବଦାନ : ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ
 ବାଜପେୟୀ ଥିଲେ ଭାରତ ରାଜନୀତି ଆକାଶର ଅଦ୍ୱିତୀୟ ଧ୍ରୁବତାରା : କଂଗ୍ରେସ କମିଟି ସଭାପତି ନିରଜଂନ ପଟ୍ଟନାୟକ
 ମୋର ସଫଳତା ପଛରେ ବାଜପେୟୀଙ୍କ ହାତ ରହିଛି : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
 ପଣ୍ଡିତ ନେହୁରଙ୍କ ପରେ ଭାରତ ବର୍ଷରେ ସର୍ବସ୍ତରୀୟ ନେତା ଥିଲେ ଅଟଳ ବିହାରୀ ବାଜପେୟୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ