ପଦ୍ମ ସମ୍ମାନ ପାଇଁ ୯ ଜଣଙ୍କର ନାମ ପ୍ରସ୍ତାବ ପଠାଇଲା କ୍ରୀଡ଼ା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତୀୟ ଖେଳ ଇତିହାସରେ ପ୍ରଥମ ଥର ମହିଳା ଆଥଲେଟିକକୁ ଦେଶର ଦ୍ୱିତୀୟ ସର୍ବବୃହତ୍ତ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ ଦିଆଯିବାକୁ ଉଦ୍ୟମ ହୋଇଛି । କ୍ରୀଡ଼ା ମନ୍ତ୍ରାଳୟ ୬ ଥର ବିଶ୍ୱ ଚାମ୍ପିଅନ ବକ୍ସର ଏମସି ମେରିକମଙ୍କ ନାମକୁ ଅଧିକ ଗୁରୁତ୍ୱ ଦେଇଛି । ମେରିକମ ୨୦୧୩ରେ ପଦ୍ମ ଭୂଷଣ ଓ ୨୦୦୬ରେ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଥିଲେ ।

ସବୁଠାରୁ ବଡ଼ କଥା ଯେ, କ୍ରୀଡ଼ା ମନ୍ତ୍ରାଳୟ ତରଫରୁ ୯ ଜଣ ଆଥଲେଟଙ୍କ ନାମ ପଦ୍ମ ସମ୍ମାନ ପାଇଁ ପଠାଇଛି ଏବଂ ଏମାନେ ସମସ୍ତେ ଝିଅ । ବିଶ୍ୱ ଚାମ୍ପିଅନ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ନାମ ପଦ୍ମ ଭୂଷଣ ପାଇଁ ପ୍ରସ୍ତାବ ଦେଇଛି, ଯାହାକି ଦେଶର ତୃତୀୟ ସର୍ବବୃହତ ନାଗରିକ ସମ୍ମାନ । ସିନ୍ଧୁଙ୍କ ନାମ ଏହି ସମ୍ମାନ ପାଇଁ ୨୦୧୭ରେ ମଧ୍ୟ ପ୍ରସ୍ତାବ ପଠାଯାଇଥିଲା କିନ୍ତୁ ଚୂଡ଼ାନ୍ତ ତାଲିକାରେ ତାଙ୍କୁ ସାମିଲ କରାଯାଇ ନଥିଲା । ତାଙ୍କୁ ୨୦୧୫ରେ ପଦ୍ମଶ୍ରୀ ମିଳିଥିଲା । 

ପଦ୍ମ ବିଭୂଷଣ ସମ୍ମାନ ଏଯାଏଁ ତିନି ଜଣ ପୁରୁଷ ଖେଳାଳିଙ୍କୁ ମିଳିସାରିଛି । ଏମାନେ ହେଲେ ଚେସ ଖେଳାଳି ବିଶ୍ୱନାଥ ଆନନ୍ଦ (୨୦୦୭), କ୍ରିକେଟର ସଚିନ ତେନ୍ଦୁଲକର (୨୦୦୮) ଓ ପର୍ବତାରୋହୀ ସାର ଏଡମଣ୍ଡ ହିଲାରି (୨୦୦୮ ମରଣୋତ୍ତର) । 

ମେରି କମ ଓ ସିନ୍ଧୁଙ୍କ ବ୍ୟତୀତ ଅନ୍ୟ ୭ ଜଣ ମହିଳା ଖେଳାଳି ହେଲେ କୁସ୍ତି ପାଇଁ ଭିନେଶ ଫୋଗାଟ, ଟେବୁଲ ଟେନିସ ଷ୍ଟାର ମୋନିକା ବାତ୍ରା, ମହିଳା କ୍ରିକେଟ ଟିମର ଟି-୨୦ ଅଧିନାୟକିକା ହରମନପ୍ରୀତ କୌର, ହକି ଅଧିନାୟିକା ରାନୀ ରାମପାଳ, ପୂର୍ବତନ ସୁଟର ସୁମା ଶିରୁର ଓ ପର୍ବତାରୋହୀ ଯମଜ ଭଉଣୀ ତାଶୀ ଓ ନୁଙ୍ଗଶୀ ମଲ୍ଲିକ ।