ସର୍ବସାଧାରଣରେ ଛେପ ପକାଇବା ଦଣ୍ଡନୀୟ ଅପରାଧ; ଦେବେ ଜରିମାନା

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ ପକାଇବା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ଜରିମାନା ଦେବାକୁ ପଡିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

ଛେପ ଦ୍ୱାରା କରୋନାଭାଇରସ୍ ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ସରକାର ଏ ଭଳି ନିୟମ ଲାଗୁ କରିଥିବା କଥା ସେ କହିଛନ୍ତି। କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ଯେମିତି ମାସ୍କ୍‌ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ଏବଂ ଉଲ୍ଲଂଘନକାରୀମାନଙ୍କ ପ୍ରତି ଜରିମାନା ବ୍ୟବସ୍ଥା କରାଯାଇଛି; ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ମଧ୍ୟ ଜରିମାନା ପଡ଼ିବ ବୋଲି ମୁଖ୍ୟ ଶାସନ ସଚିବ ଚେତାଇ ଦେଇଛନ୍ତି।

ସେ କହିଛନ୍ତି ଯେ ଏହି ନିଷେଧାଦେଶ ଉଲ୍ଲଂଘନକାରୀଙ୍କୁ ପ୍ରଥମ ତିନି ଥର ଲାଗି ୨୦୦ ଟଙ୍କା ଜରିମାନାରେ ଦଣ୍ଡିତ କରାଯିବ। ଏହା ପରେ ସମ୍ପୃକ୍ତ ଉଲ୍ଲଂଘନକାରୀଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହି ନିଷିଦ୍ଧାଦେଶକୁ ପ୍ରବର୍ତନ କରିବା ଓ ଜରିମାନା ଆଦାୟ କରିବାକୁ ବ୍ଲକ୍‌ ଏକ୍ସଟେନ୍‌ସନ୍ ଅଫିସର୍, ଅତିରିକ୍ତ ତହସିଲଦାର୍, ପୁଲିସ ଏଏସ୍ଆଇ ଓ ମ୍ୟୁନିସପାଲିଟି ‌ୱାର୍ଡ ଅଫିସର୍‌ଙ୍କୁ କ୍ଷମତା ପ୍ରଦାନ କରାଯାଇଛି।