ଗାନ୍ଧି ପରିବାରଙ୍କୁ ଦିଆଯିବ ଜେଡ-ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିନିଆଯିବ । ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ତେବେ ସେମାନଙ୍କୁ ଜେଡପ୍ଲସ ସୁରକ୍ଷା ଦିଆଯିବ ।

ଏସପିଜି ଓ ଜେଡ ସୁରକ୍ଷା ଦିଆଯାଉଥିବା ବ୍ୟକ୍ତିମାନଙ୍କ ପ୍ରତି ଥିବା ବିପଦ ଆଶଙ୍କାର ସ୍ତର ଉପରେ ପ୍ରତିବର୍ଷ ସମୀକ୍ଷା କରାଯାଇଥାଏ । ଗୃହମନ୍ତ୍ରାଳୟର ଏକ ସ୍ୱତନ୍ତ୍ର କମିଟି ଏହାର ସମୀକ୍ଷା କରନ୍ତି । ସଂପୃକ୍ତ ଭିଆଇପିଙ୍କ ପ୍ରତି ବିପଦ ଆଶଙ୍କା ବଢିଛି କିମ୍ବା କମିଛି ତାହାର ସମୀକ୍ଷା କରି ଦିଆଯାଉଥିବା ସୁରକ୍ଷାର ସ୍ତର ନିର୍ଦ୍ଧାରଣ କରାଯାଏ ।
ପୂର୍ବରୁ କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ଦିଆଯାଉଥିଲା । ଏନଏସଜି କମାଣ୍ଡୋମାନେ ଏହି ସୁରକ୍ଷା ଦେଇଥାନ୍ତି । କିନ୍ତୁ ୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ଏସପିଜି ସୁରକ୍ଷା ଦିଆଗଲା । ୧୯୯୨ରୁ ଗାନ୍ଧି ପରିବାର ପାଖରେ ଏସପିଜି ସୁରକ୍ଷା ରହିଛି ।
ଅନ୍ୟପକ୍ଷରେ ଗୃହମନ୍ତ୍ରୀଙ୍କୁ ଇସ୍ଲାମୀୟ ଆତଙ୍କବାଦୀମାନେ ଟାର୍ଗେଟ କରିପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ତାଙ୍କୁ ଏବେ ଜେଡ ସ୍ପେଶାଲ ସୁରକ୍ଷା ଦିଆଯାଉଛି ।