ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକଙ୍କ ସୂଚନା: ବାତ୍ୟା ନେଇ ୨ ଦିନ ମଧ୍ୟରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହା ଦୁଇ ଦିନ ଭିତରେ ଅବପାତର ରୂପ ନେବେ । ଏହାପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ତେବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏହା ବାତ୍ୟା ରୂପ ନେବ କି ନାହିଁ କି ଓଡିଶାକୁ ଆସୁଛି କି ନାହିଁ ତାହା ଦୁଇ ଦିନ ଭିତରେ ସ୍ପଷ୍ଟ ହେବ । ବର୍ତ୍ତମାନ କେବଳ ଲଘୁଚାପ ଅବସ୍ଥାରେ ଅଛି । ଏବେଠାରୁ ବାତ୍ୟାର ପୂର୍ବାନୁମାନ କରିବା ସମ୍ଭବ ନୁହେଁ । ବାତ୍ୟା ହେବା ନ ହେବା ନେଇ ଅଧା ଅଧା ସମ୍ଭାବନା ଅଛି ବୋଲି ଆଇଏମଡି ମହାନିର୍ଦ୍ଦେଶକ କହିଛନ୍ତି ।

ଏହାର ପ୍ରଭାବରେ ନଭେମ୍ବର ୮ରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ହେଲେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । କିନ୍ତୁ ବାତ୍ୟା ସମ୍ପର୍ତିକ କୌଣସି ସୂଚନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଅନ୍ୟପଟେ ୬ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ଅଧିକ ଘନୀଭୂତ ହୋଇ ଆଗକୁ ବଢ଼ିବ । ଏଭଳି ଆକଳନ କରିଛି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସ୍ୱୟଂଶାସିତ ସଂସ୍ଥା ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସେନ ଇନଫର୍ମେସନ ସର୍ଭିସ ।  ଆଗକୁ ଯାଇ ପବନର ବେଗ ସମ୍ପର୍କରେ ସୂଚାଇଛି ଏହି ସଂସ୍ଥା । ବାତ୍ୟା ରୂପ ନେବା ଆଶଙ୍କାଙ୍କୁ ମଧ୍ୟ ଏଡାଇ ଦେଇ ହେବ ନାହିଁ ବୋଲି ସୂଚାଇଛି । ଯାହାବି ହେଉ ଯଦି ବାତ୍ୟା କିମ୍ବା ବର୍ଷା ହୁଏ ତେବେ ଏହା ଚାଷକୁ ବ୍ୟାପକ ଭାବେ ପ୍ରଭାବିତ କରିବାର ଆଶଙ୍କା ରହିଛି । ଧାନ ଫସଲ ଓ ପରିବା ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇପାରେ ।