ଗ୍ରୀଷ୍ମ ପ୍ରବାହ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ;ସ୍କୁଲ୍ ସମୟ ସାରଣୀରେ କରାଯାଉ ପରିବର୍ତ୍ତନ

ଗ୍ରୀଷ୍ମ ପ୍ରବାହ ବଢିବା  ନେଇ ପାଣିପାଗ ବିଭାଗ ପକ୍ଷରୁ ଏବେଠୁ  ସତର୍କ କରାଯାଇଛି ।  ଏନେଇ ଏବେଠୁ ପ୍ରସ୍ତୁତ ହେବା ସହ  ସ୍କୁଲ୍ ସମୟ ସାରଣୀରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସାଧାରଣ ନିର୍ବାଚନକୁ ଆଖିରେ ରଖି ଗ୍ରୀଷ୍ମ ପ୍ରବାହ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏଥିରେ ଗ୍ରୀଷ୍ମ ପ୍ରବାହ ପାଇଁ ଆବଶ୍ୟକ ପଦକ୍ଷେପ ସହ ପାନୀୟ ଜଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଅସ୍ଥାୟୀ ଆଶ୍ରୟସ୍ଥଳୀ, ସ୍କୁଲ୍ ଓ ପବ୍ଲିକ୍ ଶିକ୍ଷାନୁଷ୍ଠାନର ସମୟର ସାରଣୀରେ ପରିବର୍ତ୍ତନ । ଉନ୍ନତମାନର ମେଡିକାଲ୍ ଜରୁରୀକାଳୀନ ସେବା ଏବଂ ଜନତାଙ୍କ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ୍ କରାଯାଇଥାଏ । ସକାଳ ୭ଟାରୁ ୧୧ ମଧ୍ୟରେ ସ୍କୁଲ୍ ହୁଏ । ଏପରିକି ଗତବର୍ଷ ଖରା ଏତେ ହୋଇଥିଲା ଯେ ରାଜ୍ୟ ସରକାର ବାଧ୍ୟ ହୋଇ ସ୍କୁଲ୍ ଛୁଟି ଘୋଷଣା କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ଟାଣ ଖରା ହେଲାଣି । ମାତ୍ର ଏଯାଏ ସକାଳୁଆ ସ୍କୁଲ୍ ହୋଇନାହିଁ ।

ମାର୍ଚ୍ଚ ୧୫ରୁ ୨୦ ଯାଏ ସରକାରୀ ସ୍କୁଲ୍ରେ ପରୀକ୍ଷା ଚାଲିଥିବାରୁ ସକାଳ ୭ଟାରୁ ୧୧ଟା ଯାଏ ସ୍କୁଲ୍ ଖୋଲାରହୁଛି । ମାତ୍ର ଅନ୍ୟ ବେସରକାରୀ ଓ ଘରୋଇ ସ୍କୁଲ୍ ଏବେ ବି ଦିନ ସାରା ଖୋଳୁଛନ୍ତି । ୧୦ଟା ପରେ ପରୀକ୍ଷା କରୁଛନ୍ତି । ୨୦ ତାରିଖରେ ପରୀକ୍ଷା ଶେଷ ହେଲେ ପୁଣି ୧୦ଟାରୁ ସ୍କୁଲ୍ ଆରମ୍ଭ ହେବ ବୋଲି ଶିକ୍ଷକମାନେ କହୁଛନ୍ତି । ଗରମରେ ପିଲାମାନେ କିପରି ପଢ଼ିବେ ତାହାକୁ ନେଇ ଅଭିଭାବକମାନେ ପ୍ରଶ୍ନ କରୁଛନ୍ତି।