ବେସରକାରୀ ମେଡିକାଲ କ୍ଲିନିକ ପାଇଁ ଆସିବ ସ୍ୱତନ୍ତ୍ର ଗାଇଡଲାଇନ

ଭୁବନେଶ୍ୱର : ରାଜ୍ୟରେ ତୃତୀୟ କୋରୋନା ରୋଗୀ ଚିହ୍ନଟ ପରେ ତନାଘନା ଆରମ୍ଭ ହୋଇଛି । ୬୦ ବର୍ଷୀୟ ରୋଗୀ ଜଣକ ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଆସିଥିଲେ। ନିଜ ଝିଅ ଓ ସ୍ତ୍ରୀ ସହ ଇଣ୍ଡିଗୋ ଫ୍ଲାଇଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲେ ସେ । ତେବେ ଆସିବା ପୁର୍ବରୁ ଏହି କୋରୋନା ଆକ୍ରାନ୍ତ ଜଣକ ହରିୟାଣା ରେୱାଡିରେ ମଧ୍ୟ ବୁଲିଥିଲେ।

ତେବେ ସେ ୧୦ ମାର୍ଚ୍ଚ ୭ଟା ୧୦ରେ ଧର୍ମପତ୍ନୀ ଓ ଝିଅ ସହ ପହଂଚିବା ପରେ ୧୩ ମାର୍ଚ୍ଚରେ ଅସୁସ୍ଥତା ଅନୁଭବ କରିଥିଲେ। ପରେ ଓଡିଶା ବିଧାନସଭା ଡିସପେନସେରି ଯାଇଥିଲେ ଚିକିତ୍ସା ପାଇଁ ଏବଂ ୨୩ ମାର୍ଚ୍ଚରେ ନିମୋନିଆ ପାଇଁ କର କ୍ଲିନିକରେ ଆଡମିଟ ହୋଇଥିଲେ। ଏହାପରେ ୨୪ରେ ଡିସଚାର୍ଜ ପରେ ୨୫ ତାରିଖ କ୍ୟାପିଟାଲ ହସ୍ପିଟାଲରେ ଆଡମିଟ ହୋଇଥିଲେ । ତେବେ ପଜିଟିଭ ରିପୋର୍ଟ ଆସିବା ପରେ ଆକ୍ରାନ୍ତ ବ୍ୟକ୍ତି ଜଣକ କାହା ସାଙ୍ଗରେ ଦେଖା ହୋଇଥିଲେ, ଫ୍ଲାଇଟ ଏବଂ ଏୟାରପୋର୍ଟରେ କାହାର ସଂସ୍ପର୍ଶରେ ଆସିଥିଲେ ସେନେଇ ତନାଘନା ଚାଲିଛି।

ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ତ୍ରୀ, ଝିଅ ଓ ଡ୍ରାଇଭରଙ୍କୁ ଆଇସୋଲେସନରେ ରଖାଯାଇଛି। ଏହାଛଡା କର କ୍ଲିନିକକୁ ସାଧାରଣ ଲୋକଙ୍କୁ ସଂକ୍ରମଣ ଭୟ ଦୃଷ୍ଟିରୁ ଯିବାକୁ ବାରଣ କରାଯାଇଛି । ତେବେ ଏନେଇ ବେସରକାରୀ ଡାକ୍ତର, କ୍ଲିନିକ ଓ ମେଡିକାଲ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଅନ୍ୟପକ୍ଷେ ରୋଗୀଙ୍କ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ ଆସିବା ମଧ୍ୟ ଜଣାପଡିଛି । ଯେଉଁମାନେ ବିଧାନସଭା ଡିସପେନସେରି ଓ କର କ୍ଲିନିକ ଯାଇଥିଲେ ସେମାନଙ୍କୁ ହୋମ କ୍ୱାରେନଂଟାଇନ୍ ରେ ରହିବାକୁ ପରାମର୍ଶ ଦିଆଯାଇଛି।