ପୂର୍ବତନ ବିଧାୟକଙ୍କୁ ନୋଟିସ୍: ୩ ଦିନ ଭିତରେ କ୍ୱାର୍ଟର୍ସ ନ ଛାଡ଼ିଲେ ଏଫଆଇଆର

ଭୁୁବନେଶ୍ୱର: ସରକାରୀ କ୍ୱାର୍ଟର୍ସ ମାଡ଼ି ରହିଥିବା ପୂର୍ବତନ ବିଧାୟକମାନଙ୍କ ପାଇଁ ଚରମବାଣୀ । ୩ ଦିନ ଭିତରେ ସେମାନେ ଘର ନ ଛାଡ଼ିଲେ ପୁଲିସରେ ଏତଲା ଦିଆଯିବ । ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର ଆଜି ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି । ବାରମ୍ବାର ନୋଟିସ୍ ସତ୍ତ୍ୱେ ପୂର୍ବତନ ବିଧାୟକମାନେ ଘର ଛାଡୁ ନାହାନ୍ତି । କ୍ୱାର୍ଟର୍ସ ନ ଛାଡ଼ିଲେ ବିଜୁଳି, ପାଣି ବନ୍ଦ କରି ଦିଆଯିବ ବୋଲି ଗତ ମାସ ୧୬ ତାରିଖରେ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତାହାକୁ କେହି ଖାତିର କରିନାହାନ୍ତି । ଫଳସ୍ୱରୂପ ବାଚସ୍ପତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ।

୨୬ ଜଣ ପୂର୍ବତନ ବିଧାୟକଙ୍କ କବଜାରେ ରହିଛି ସରକାରୀ କ୍ୱାର୍ଟର୍ସ । ବିଧାୟକ ଥିଲା ବେଳେ ସେମାନେ ପାଇଥିବା କ୍ୱାର୍ଟର୍ସ କୁ ମାଡ଼ି ବସିଛନ୍ତି । ଏଥିଯୋଗୁଁ ନୂଆ ବିଧାୟକ ଘର ପାଇପାରିନାହାନ୍ତି । ଗତମାସ ଶେଷ ସୁଦ୍ଧା ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସ ମାଡ଼ି ବସିଥିବା ପୂର୍ବତନ ବିଧାୟକଙ୍କ ତାଲିକାରେ ଥିଲେ ଡାକ୍ତର ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ଯୁଗଳ କିଶୋର ପଟ୍ଟନାୟକ, ପ୍ରଭାତ କୁମାର ତ୍ରିପାଠୀ, ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ଦେବାଶିଷ ନାୟକ, ପ୍ରବୀଣ ଭଞ୍ଜଦେଓ, ରମେଶ ମାଝୀ, ସଞ୍ଜୀବ ସାହୁ, ସାନନ୍ଦ ମାର୍ଣ୍ଡି, ମହେଶ ସାହୁ, ସରୋଜିନୀ ହେମ୍ବ୍ରମ୍, ଝିନ ହିକକା, ଗୋଲକ ବିହାରୀ ନାୟକ, କିଶୋର ତରାଇ, ନନ୍ଦିନୀ ଦେବୀ, ବସନ୍ତ କୁମାର ପଣ୍ଡା, ଓ କନକ ବର୍ଦ୍ଧନ ସିଂହଦେଓ, ନୀତିଶ ଗଙ୍ଗଦେବ ଏବଂ ଭୁଜବଳ ମାଝୀ ।

ମାସେ ତଳେ ତାଗିଦା ନୋଟିସ୍ ପରେ କିଛି ପୂର୍ବତନ ବିଧାୟକ କ୍ୱାର୍ଟର୍ସ ଛାଡ଼ିଥିବା ବାଚସ୍ପତି ଆଜି ସୂଚନା ଦେଇଥିଲେ ମଧ୍ୟ କେତେଜଣ ଛାଡ଼ିଛନ୍ତି ନିର୍ଦ୍ଦିଷ୍ଟ ଭାବେ କହିନାହାନ୍ତି । ତେବେ ସେମାନଙ୍କ ସଂଖ୍ୟା ନଗନ୍ୟ ବୋଲି ଜଣାଇଛନ୍ତି । ତେଣୁ ଶେଷଥର ପାଇଁ ତିନିଦିନିଆ ଡେଡଲାଇନ୍ ରଖିଛନ୍ତି ବାଚସ୍ପତି । ମଙ୍ଗଳବାର ସୁଦ୍ଧା କ୍ୱାର୍ଟର୍ସ ନ ଫେରାଇଲେ ପୁଲିସରେ ଏତଲା ଦିଆଯିବ ।

ଅନ୍ୟପକ୍ଷରେ ବିଧାନସଭା ଓ ବିଧାୟକଙ୍କ କ୍ୱାର୍ଟର୍ସ ନବକଳେବର ସମ୍ପର୍କରେ ସୂଚନା ଦେଇଛନ୍ତି ବାଚସ୍ପତି ଶ୍ରୀ ପାତ୍ର । ବିଧାନସଭା କର୍ମଚାରୀଙ୍କ ଉପସ୍ଥାପନ ଓ ଅଫିସ୍ କାର‌୍ୟ୍ୟ ସୁନିଶ୍ଚିତ କରାଇବା ପାଇଁ ବାଇଓମେଟ୍ରିକସ୍ ବ୍ୟବସ୍ଥା ଗ୍ରହଣ କରାଯିବ । ବିଧାନସଭା କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଡ୍ରେସ୍ କୋଡ୍ ଖୁବ୍ ଶୀଘ୍ର ଲାଗୁ ହେବ । ବିଧାୟକମାନଙ୍କ ପାଇଁ ପ୍ରସ୍ତାବିତ ବହୁତଳ ବିଶିଷ୍ଟ ବିଲଡିଂ କାର‌୍ୟ୍ୟ ଆସନ୍ତାମାସରୁ ନିର୍ମାଣ ହେବ । ପୂର୍ତ୍ତ ବିଭାଗ ଏହାର ଟେଣ୍ଡର କାମ ସାରିଲାଣି । ବିଧାନସଭା ସାମନା ଗେଷ୍ଟ ହାଉସ୍ କୁ ଛାଡ଼ିଦେଲେ ଏମଏଲଏ କଲୋନୀ କ୍ୱାର୍ଟର୍ସଗୁଡ଼ିକୁ ଭଙ୍ଗାଯାଇ ସେହିଠାରେ ବହୁତଳ ପ୍ରସାଦ ବିଲଡିଂ ନିର୍ମାଣ କରାଯିବ ବୋଲି ବାଚସ୍ପତି କହିଛନ୍ତି ।