ବିଧାନସଭା ବାଚସ୍ପତିମାନଙ୍କର ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ଉତ୍ତରାଖଣ୍ଡ ବିଧାନସଭା ଆନୁକୂଲ୍ୟରେ ଡେରାଡୁନ୍‌ଠାରେ ଆୟୋଜିତ ୭୯ତମ ବିଧାନସଭା ବାଚସ୍ପତିମାନଙ୍କର ସମ୍ମିଳନୀରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଯୋଗଦେଇଛନ୍ତି । ଲୋକସଭା ବାଚସ୍ପତି ଶ୍ରୀ ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ।

ଏହି ସମ୍ମିଳନୀରେ ଯୋଗଦେଇଥିବା ବିଭିନ୍ନ ରାଜ୍ୟ ବିଧାନସଭାର ବାଚସ୍ପତିମାନେ ବିଧାନସଭା ପରିଚାଳନା ସଂପର୍କିତ ସେମାନଙ୍କର ପ୍ରତ୍ୟକ୍ଷ ଅନୁଭୂତି ବର୍ଣ୍ଣନା କରିଥିଲେ । ଆଲୋଚନାର ବିଷୟବସ୍ତୁ ଥିଲା ‘ସଂସଦୀୟ ଗଣତନ୍ତ୍ରର ସଶକ୍ତିକରଣ ଓ ଶୂନ୍ୟକାଳ ପରି ଗୃହର ବ୍ୟବସ୍ଥା ଦ୍ୱାରା କ୍ଷମତା ବୃଦ୍ଧି’ ଓ ଏହି ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା ହେବା ସହ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମତବିନିମୟ ହୋଇଥିଲା । ଏଥିରେ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ମଧ୍ୟ ଯୋଗଦେଇଥିଲେ । ଗତକାଲି ଡେରାଡୁନ୍‌ଠାରେ ଆୟୋଜିତ ୫୭ତମ ବିଧାନସଭା ସଚିବମାନଙ୍କ ସମ୍ମିଳନୀରେ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଯୋଗଦେଇଥିଲେ ।