ବିସିସିଆଇ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସୌରଭ ଗାଙ୍ଗୁଲି

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ନୂଆ ଇନିଂସ୍ ଆରମ୍ଭ କରିଛନ୍ତି। ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୩୯ତମ ଅଧ୍ୟକ୍ଷ ଭାବେ ପଦ ସମ୍ଭାଳିଛନ୍ତି। ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟରେ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଆନୁଷ୍ଠାନିକ ଭାବେ ଗାଙ୍ଗୁଲିଙ୍କ ନିଯୁକ୍ତି ନେଇ ଘୋଷଣା କରାଯାଇଛି। ଗାଙ୍ଗୁଲି ନିଦ୍ୱର୍ନ୍ଦ୍ୱରେ ବିସିସିଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ମାସ ପର୍ଯ୍ୟନ୍ତ ଅର୍ଥାତ୍ ଜୁଲାଇ, ୨୦୨୦ ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦରେ ରହିବେ, କାରଣ ଏହା ପରେ ‘କୁଲିଙ୍ଗ୍ ଅଫ୍‌’ ପିରିୟଡ ଆରମ୍ଭ ହେବ। ଭାରତ ପକ୍ଷରୁ ୧୧୩ ଟେଷ୍ଟ ଓ ୩୧୧ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା ଗାଙ୍ଗୁଲିଙ୍‌କ ପାଖରେ କ୍ରିକେଟ୍ ପ୍ରଶାସନକୁ ଚଳାଇବାର ଭଲ ଅଭିଜ୍ଞତା ରହିଛି।

୪୭ ବର୍ଷୀୟ ଗାଙ୍ଗୁଲି ଅଧ୍ୟକ୍ଷ ପଦକ ସମ୍ଭାଳିବା ମାତ୍ରକେ ୬୫ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ଗାଙ୍ଗୁଲି ଏକମାତ୍ର କ୍ରିକେଟର୍ ଭାବେ ୬୫ ବର୍ଷ ପରେ ବିସିସିଆଇର ବସ୍ ପଦ ସମ୍ଭାଳିଛନ୍ତି। ତାଙ୍କ ପୂର୍ବରୁ ଟେଷ୍ଟ କ୍ରିକେଟର୍ ଭାବେ ‘ଭିଜି’ ନାମରେ ପରିଚିତ ମହାରାଜା କୁମାର ବିସିସିଆଇର ଅଧ୍ୟକ୍ଷ ହୋଇଥିଲେ, ଯିଏ ୧୯୫୪ରୁ ୧୯୫୬ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ବିସିସିଆଇ ଅଧ୍ୟକ୍ଷ କଥା ଉଠିଲେ, ଟେଷ୍ଟ କ୍ରିକେଟର ସୁନୀଲ ଗାଭାସ୍କର ଓ ଶିବଲାଲ ଯାଦବ ମଧ୍ୟ ଏହି ପଦରେ ରହିଛନ୍ତି। କିନ୍ତୁ ୨୦୧୪ରେ ଗାଭାସ୍କର ଓ ଶିବଲାଲ ଉଭୟ ଅନ୍ତରୀଣ ଅଧ୍ୟକ୍ଷ ହୋଇଥିଲେ। ଏହା ପରେ ଶ୍ରୀନିବାସନଙ୍କୁ ଅଧ୍ୟକ୍ଷ କରାଯାଇଥିଲା।

ଗାଙ୍ଗୁଲିଙ୍କ ଅଧ୍ୟକ୍ଷ ହେବା ଦ୍ୱାରା ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଶାସନ ମଧ୍ୟ ଶେଷ ହୋଇଛି। ସିଓଏର ପୂର୍ବତନ ମୁଖ୍ୟ ବିନୋଦ ରାୟ କହିଛନ୍ତି, ଭାରତର ଅନ୍ୟତମ ସଫଳ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ବୁଧବାର ସାଧାରଣ ବୈଠକରେ ବିସିସିଆଇର ୩୯ତମ ଅଧ୍ୟକ୍ଷ ହୋଇଛନ୍ତି। ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତିକ୍ରମେ ହୋଇଛି। ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ପୁଅ ଜୟ ଶାହ ସମ୍ପାଦକ ଓ ଉତ୍ତରାଖଣ୍ଡର ମହିମ ବର୍ମା ନୂଆ ଉପାଧ୍ୟକ୍ଷ ହୋଇଛନ୍ତି।

ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୂମାଲ୍ କୋଷାଧ୍ୟକ୍ଷ, କେରଳର ଜୟେଶ ଜର୍ଜ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ବ୍ରିଜେଶ ପଟେଲ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ନୂଆ ଚେୟାରମ୍ୟାନ୍ ହୋଇଛନ୍ତି।