ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର୍ ଦେବା ନେଇ ଏସଓପି ଜାରି

ନୂଆଦିଲ୍ଲୀ: ହୋମ୍ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତ କେମିତି ଖାଇବେ ଫାଭିପିରାଭିର୍ ? ଏ ସଂକ୍ରାନ୍ତରେ ଏସଓପି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟର ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିସନର ଓ ସିଡିଏମଓଙ୍କୁ ଚିଠି ଲେଖି କୁହାଯାଇଛି ଯେ, ଘରୋଇ ସଂଗରୋଧରେ ଥିବା କରୋନା ଆକ୍ରାନ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଖାଇ ପାରିବେ ଫାଭିପିରାଭିର୍ ବଟିକା । ଏଥିପାଇଁ ରୋଗୀଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦେବ ସ୍ୱାସ୍ଥ୍ୟ ବିଭାଗର ରାପିଡ୍ ରେସପନ୍ସ ଟିମ୍ । ଆବଶ୍ୟକ ସ୍ଥଳେ ଆକ୍ରାନ୍ତଙ୍କ ସହ ପରିବାର କିମ୍ବା ସଂପର୍କୀୟଙ୍କୁ ଟାବଲେଟ୍ ଖାଇବା ବାବଦରେ ସବିଶେଷ ସୂଚନା ଦିଆଯିବ। ଏପରିକି ଏହାର ପାର୍ଶ୍ୱ ପ୍ରତିକ୍ରିୟା କିଭଳି ଓ ଏଥି ଲାଗି କି ପ୍ରକାର ସାବଧାନତା ଗ୍ରହଣ କରାଯିବ ସେ ବାବଦରେ ମଧ୍ୟ ସୂଚନା ଦିଆଯିବ।

ତେବେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ହି ଫାଭିପିରାଭର୍ ଖାଇବାକୁ କୁହାଯାଇଛି । ଟାବଲେଟ ଭାଙ୍ଗିବା କିମ୍ବା ଚୋବାଇବା ପାଇଁ ବାରଣ କରାଯାଇଛି । ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଖାଇବା ପରେ ଏହାକୁ ନେଇ ପାରିବେ । କିନ୍ତୁ ଦିନର ନିର୍ଦିଷ୍ଟ ସମୟରେ ହିଁ ଖାଇବେ । ପ୍ରଥମ ଦିନରେ ୧୮ଶହ ମିଲିଗ୍ରାମ ଲେଖାଏଁ  ଦିନକୁ ୨ ଥର ଏବଂ ଦ୍ୱିତୀୟ ଦିନରେ ୮ଶହ ମିଲିଗ୍ରାମ ଦିନକୁ ୨ଟି ଲେଖାଏଁ ବଟିକା ଖାଇପାରିବେ । ୬୦ ବର୍ଷରୁ ଅଧିକ କରୋନା ଆକ୍ରାନ୍ତ ଟାବଲେଟ୍ ଖାଇବା ପରେ ହେଇଥିବା ପାର୍ଶ୍ୱ ପ୍ରତିକ୍ରିୟା ବାବଦରେ ନିୟମିତ ଡାକ୍ତରଙ୍କୁ ଜଣାଇବେ । ଏସଓପିରେ କହାଯାଇଛି, ଫାଭିପିରାଭିର୍ ଖାଇବା ପରେ ରକ୍ତରେ ୟୁରିକ୍ ଏସଡିର ମାତ୍ରା ବଢିବା, ଡାଇରିଆ, ଶ୍ୱେତ ରକ୍ତକଣିକା ବୃଦ୍ଧି ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିବ।