ତିହାର ଜେଲରେ ଚଦାମ୍ବରମଙ୍କୁ ଭେଟିଲେ ସୋନିଆ ଓ ମନମୋହନ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ପି ଚଦାମ୍ବରମ ଏବେ ତିହାର ଜେଲରେ ରହିଛନ୍ତି। ତାଙ୍କ ସହ ପୂରା ଦଳ ରହିଛି ବୋଲି ଦେଖାଇବା ପାଇଁ ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ତିହାର ଜେଲରେ ପହଞ୍ଚିଥିଲେ।

ଏହାପରେ ଉଭୟ ଚଦାମ୍ବରମଙ୍କୁ ଜେଲ ମଧ୍ୟରେ ସାକ୍ଷାତ କରିଥିଲେ। ତିହାର ଜେଲର ୭ ନଂ ସେଲରେ ଥିବା ଚିଦାଙ୍କ ସହ ପୂରା କଂଗ୍ରେସ ପାର୍ଟି ରହିଛି ବୋଲି ଉଭୟ ସୋନିଆ ଓ ମନମୋହନ ତାଙ୍କୁ କହିଛନ୍ତି। ଏଥିସହ ସୋନିଆ ମଧ୍ୟ ଚିଦାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିବା ଜଣାପଡ଼ିଛି।

ଚିଦାମ୍ବରମ ଦେଶର ଅର୍ଥମନ୍ତ୍ରୀ ଥିବା ବେଳେ ନିଜ ପଦର ଅପବ୍ୟବହାର କରି ଆଇଏନ୍‌ଏକ୍ସ ମିଡିଆରେ ବିଦେଶୀ ପାଣ୍ଠି ଯୋଗାଣ ପାଇଁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ସିବିଆଇ ତାଙ୍କୁ ଅଗଷ୍ଟ ୨୧ରେ ଗିରଫ କରିଥିଲା।

ସେପ୍ଟେମ୍ବର ୫ରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ତାଙ୍କୁ ସେପ୍ଟେମ୍ବର ୧୯ ଯାଏ ତିହାର ଜେଲକୁ ପଠାଇ ଦେଇଥିଲେ। ଏହାପରେ ଦିଲ୍ଲୀର ଏକ କୋର୍ଟ ଗୁରୁବାର ଚିଦାଙ୍କ ତିହାର ଜେଲ ମିଆଦକୁ ଅକ୍ଟୋବର ୩ ଯାଏ ବଢ଼ାଇ ଦେଇଛନ୍ତି। ତେଣୁ ସେ ଏବେ ତିହାର ଜେଲରେ ହିଁ ରହିଛନ୍ତି।