ଲଗାଣ ବର୍ଷାରେ ଓଡ଼ିଶା ବେହାଲ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ବିଶେଷକରି ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଗାଣ ବର୍ଷାରେ ଗଞ୍ଜାମ ଓ ଅନୁଗୁଳ ଜିଲ୍ଲା ପରିସ୍ଥିତି ବେହାଲ ହୋଇ ପଡ଼ିଛି । ଛତ୍ରପୁରରେ ଡାଇଭର୍ସନ୍‌ ରୋଡ଼୍‌ ଧୋଇ ଯାଇଥିବାବେଳେ ଅନୁଗୁଳ ପାଲଲହଡ଼ାରେ ମେଡ଼ିକାଲ ଭିତରେ ବର୍ଷା ଓ ଡ୍ରେନ୍‌ ପାଣି ପଶିଛି । ଫଳରେ ରୋଗୀମାନଙ୍କୁ ଉପର ମହଲାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ପାରାଦ୍ୱୀପରେ ଅତ୍ୟଧିକ ବର୍ଷା ଯୋଗୁଁ ଲୁହା ପଥର ଅନ୍‌ଲୋଡିଂ ବାଧାପ୍ରାପ୍ତ ହୋଇଛି ।

ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଲଗାଣ ବର୍ଷାରେ ଡାଇଭର୍ସନ୍‌ ରୋଡ଼୍ ଧୋଇଯାଇଛି । ଫଳରେ ବୁଡ଼ାମ୍ବ-ପୁରୁଷୋତ୍ତମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହିତ ପ୍ରାୟ ୫୦ ଏକର ଚାଷ ଜମି ଜଳମଗ୍ନ ହୋଇଗଲାଣି । ଫଳରେ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେହିପରି ଅନୁଗୁଳ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବର୍ଷା ଓ ଡ୍ରେନ୍‌ ପାଣି ଲହଡ଼ି ମାରୁଛି । ଆଉଟ୍‌ଡୋର୍‌, ଡ୍ୟୁଟି ରୁମ, ୱାର୍ଡ ଓ କ୍ୟାବିନ୍‌ରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ସମସ୍ତ ରୋଗୀଙ୍କୁ ଉପର ମହଲାରେ ଥିବା ସର୍ଜରୀ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ଏହା ଯୋଗୁଁ ରୋଗୀ ସେବା ସାମାନ୍ୟଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।

ସେପଟେ ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଆଇରନ୍‌ ଓର୍‌ ଭୁଷୁଡ଼ି ପଡ଼ିଛି । ଲଗାଣ ବର୍ଷା ଯୋଗୁଁ ଆଇଓଏଚ୍‌ପିର ଗୋଟିଏ ବେଲ୍ଟ ଅକାମୀ ହୋଇଯାଇଛି । ଯେଉଁଥିପାଇଁ ଲୁହା ପଥର ଖଲାସୀ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭୦. ୨ ମିଲିମିଟର୍‌ ବର୍ଷା ରେକର୍ଡ କରାଯାଇଛି ।