ସୂର୍ଯ୍ୟୋପରାଗ ଯୋଗୁଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ୨୬ ତାରିଖରେ ସୂର୍ଯ୍ୟୋପରାଗ ଯୋଗୁଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ନିର୍ଘଂଟ କରାଯାଇଛି । ୨୫ ତାରିଖରେ ସାରାରାତି ଶ୍ରୀମନ୍ଦିର ଖୋଲା ରହିବ । ଏହାସହ ୨୫ରୁ ନୀତିକାନ୍ତିରେ ପରିବର୍ତନ ହୋଇଥିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତା ୨୬ତାରିଖ ଗୁରୁବାର ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ  ହେବ। ଦିନ ୮ଘଂଟା ୨୦ମିନିଟ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେଉଥିବା ବେଳେ ସର୍ବ ମୋକ୍ଷ ୧୧ଟା ୨୯ମିନିଟ ୧୦ ସେକେଣ୍ଡ ରହିଛି।

ଗ୍ରହଣ ସ୍ପର୍ଶର ୧୨ଘଂଟା ପୂର୍ବରୁ ଅର୍ଥାତ୍ ବୁଧବାର ରାତି ୮ଘଂଟା ୨୦ମିନିଟରୁ  ପାକତ୍ୟାଗ କରାଯିବ। ଏହି ସମୟରେ ଭୋଜନ, ପାକ ଦ୍ରବ୍ୟ ଓ ଦେବ ନୀତି ସବୁ ବନ୍ଦ ରହିବ । ତେବେ ସୂର୍ଯ୍ୟପରାଗ ଆରମ୍ଭ ହେବା ମାତ୍ରେ ଶ୍ରୀମନ୍ଦିରରେ ପରାଗ ନୀତି କରାଯିବ ଓ ପରାଗ ଶେଷ ହେବା ମାତ୍ରେ ମହାପ୍ରଭୁଙ୍କୁ ସ୍ନାନ କରାଯିବ। ଏହାପରେ  ଶ୍ରୀମନ୍ଦିରରେ   ସ୍ୱତନ୍ତ୍ର ନୀତିକାନ୍ତି ହେବ ବୋଲି ଜଣାଯାଇଛି।