ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ଆଦିତ୍ୟଙ୍କ ତିନି ସହଯୋଗୀଙ୍କର ଲାଇ ଡିଟେକ୍ସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ଵର ଫରେନ୍‌ସିକ୍ ଲ୍ୟାବ୍‌ରେ ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଥିବା ସୂଚନା ମିଳିଛି।

ବର୍ତ୍ତମାନ ଆଦିତ୍ୟଙ୍କ ସାଙ୍ଗ ତଥା ପିପୁଲ ଫର୍ ସେବାର ତିନି ସଦସ୍ୟ ପପୁ, ବିକାଶ ଏବଂ ଦୀପୁଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି। ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିଲା। ଏଥିପାଇଁ ସ୍ଵତନ୍ତ୍ର ପ୍ରଶ୍ନାବଳୀ ପ୍ରସ୍ତୁତ ହୋଇଥିଲା। ଦୀର୍ଘ ପାଞ୍ଚ ଘଣ୍ଟା ଧରି ବିଦ୍ୟାଶ୍ରୀଙ୍କୁ ଅନେକ ପ୍ରଶ୍ନ କରାଯାଇଥିବା ସୂଚନା ମିଳିଛି।

ଗତ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ ପାଖରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ତାଙ୍କୁ କେହି ହତ୍ୟା କରିଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅନ୍ୟପଟେ ବିଦ୍ୟାଶ୍ରୀ ଏବଂ ଆଦିତ୍ୟ ସାଙ୍ଗଙ୍କ ବୟାନରେ କୌଣସି ତାଳମେଳ ରହୁନଥିବାରୁ ଏବଂ ସେମାନେ ପରସ୍ପରକୁ ଏଥିପାଇଁ ଦୋଷ ଦେଉଥିବାରୁ କ୍ରାଇମବ୍ରାଞ୍ଚ ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲା। ସମସ୍ତଙ୍କର ଲାଇ ଡିଟେକ୍ସନ ଟେଷ୍ଟ ପରେ ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।