ବିନା ଭକ୍ତରେ ହେବ ସ୍ନାନଯାତ୍ରା, ରଥଯାତ୍ରା

ପୁରୀ: ଆଜି ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ବୈଠକ ଶେଷ ହେବା ପରେ କମିଟି ଅଧ୍ୟକ୍ଷ ଗଜପତି ମହାରାଜା ସୂଚନା ଦେଇ କହିଛନ୍ତି ଯେ, ସ୍ନାନଯାତ୍ରା ବିଧିବିଧାନ ଅନୁସାରେ ସଂପାଦନ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ସେ କହିଛନ୍ତି, କୌଣସି ଦର୍ଶନାଥୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇପାରିବ ନାହିଁ । ଏହାଛଡା ସାଧାରଣ ଦର୍ଶନାଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବାକୁ ବୈଠକରେ ନିଷ୍ପତି ନିଆଯାଇଛି । ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । କାରଣ ଶ୍ରୀମନ୍ଦିର ଖୋଲିଲେ ଅସମ୍ଭାଳ ଭିଡ ହେବ । ସେହି ଦୃଷ୍ଟିରୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ନିଷ୍ପତିକୁ ଗ୍ରହଣ କରାଯିବ । ଶ୍ରୀମନ୍ଦିର ପରିସରରେ ସ୍ନାନଯାତ୍ରା ହେଉଥିବାରୁ ସ୍ନାନଯାତ୍ରା ହେବ । ସୀମିତ ସେବକଙ୍କୁ ନେଇ ସ୍ନାନଯାତ୍ରା କରାଯିବାକୁ ନିଷ୍ପତି ହୋଇଛି । ସାଧାରଣ ଦର୍ଶନାଥୀଙ୍କ ପାଇଁ ବନ୍ଦ ହେତୁ ସାହାଣମେଲା ଦର୍ଶନ ବନ୍ଦ ରହିବ । ସ୍ନାନଯାତ୍ରା ସିଧାପ୍ରସାରଣ ଦାୟିତ୍ୱ ଆଇ ଆଣ୍ଡ ପିଆର୍ ବିଭାଗକୁ ଦିଆଯାଇଥିବା ସେ କହିଛନ୍ତି । ସାରା ଦୁନିଆ ଲୋକେ ଯେମିତି ଟିଭିରେ ଦେଖିବେ, ସେ ନେଇ ବ୍ୟବସ୍ଥା କରାଯିବ । ତେବେ ସ୍ନାନଯାତ୍ରାରେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯିବ । କରୋନା ରିସ୍କ ଏଡାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହାକୁ ବାଦ ଦେଲେ ରଥଯାତ୍ରା ନେଇ ମଧ୍ୟ ବୈଠକରେ ନିଷ୍ପତି ହୋଇଛି । ବିଧି ଅନୁସାରେ, ରଥଯାତ୍ରା କରିବାକୁ ପରିଚାଳନା ସମିତି ମତ ଦେଇଛନ୍ତି । ରଥଯାତ୍ରାରେ ସାଧାରଣ ଭକ୍ତଙ୍କ ଯୋଗଦାନ ଅନୁଚିତ୍ । ତେବେ ଅଧିକାରୀ, ପୋଲିସ, ସେବାୟତଙ୍କ ଦ୍ୱାରା ରଥଯାତ୍ରା ହୋଇପାରିବ ବୋଲି ସେ କହିଛନ୍ତି । ୮/୧୦ ଲକ୍ଷ ଲୋକ ଯଦି ଏକାଠି ହେବେ ତାହେଲେ କରୋନା ସ୍ଥିତି ବିଗିଡିପାରେ । ସାଧାରଣ ଦର୍ଶନାଥୀଙ୍କ ବିନା ସମାଗମରେ ବି ରଥଯାତ୍ରା ହୋଇପାରିବ ବୋଲି କୁହାଯାଇଛି ।