ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ସୋମବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି । ମନ୍ଦିରର ପରିସର ଥିବା ସ୍ୱର୍ଣ୍ଣକୂପର ସୁବାସିତ ଜଳରେ ଶ୍ରୀଜିଉଙ୍କ ମହାସ୍ନାନ କରାଯିବ । ୧୦୮ ଗରା ଜଳରେ ଶ୍ରୀଜିଉଙ୍କୁ ମହାସ୍ନାନ କରାଯିବ । ପ୍ରଭୁ ବଳଭଦ୍ର ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ମହାପ୍ରଭୁ ୧୮ ଗରାରେ ମହାସ୍ନାନ କରିବେ । ସ୍ନାନଯାତ୍ରା ପରେ ମହାପ୍ରଭୁ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ସାଢ଼େ ୪ଟାରୁ ପହଣ୍ଡି ଆରମ୍ଭ ହୋଇଥିଲା । ଅପରାହ୍ଣ ୪ରୁ ୫ଟା ମଧ୍ୟରେ ମହାପ୍ରଭୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ । ରାତି ସାଢ଼େ ୭ରୁ ସାଢ଼େ ୯ଟା ମଧ୍ୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ସାହାଣମେଲା ଦର୍ଶନ କରିପାରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।