ସ୍ମିତାରାଣୀ ମୃତ୍ୟୁ ମାମଲା: ଜିଲ୍ଲାପାଳଙ୍କୁ ଝଟକା

ଭୁବନେଶ୍ଵର: ଯାଜପୁର ରଘୁଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ ସରପଞ୍ଚଙ୍କ ସ୍ଵାମୀ ରୂପେଶ ଭଦ୍ରଙ୍କ ରଙ୍ଗଶାଳା ବହୁତ ଚର୍ଚ୍ଚାରେ ରହିଛି। ଏହି ରଙ୍ଗଶାଳାରେ ହିଁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିଲା। ଶାସକ ଦଳ ସହିତ ରୂପେଶ ଭଦ୍ରଙ୍କ ସଂପର୍କ ଥିବା କାରଣରୁ ରଙ୍ଗଶାଳା ଉଚ୍ଛେଦ କରାଯାଉନଥିବା ବିରୋଧୀ ଅଭିଯୋଗ କରୁଥିଲେ। ଅନ୍ୟପଟେ ଯାଜପୁର ଜିଲ୍ଲାପାଳ ମଧ୍ୟ ରଙ୍ଗଶାଳାକୁ ଉଚ୍ଛେଦ ନକରି ଅନ୍ୟ ମହତ୍ କାମରେ ବିନିଯୋଗ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ରଙ୍ଗାଶାଳା ରକ୍ଷା ପାଇଁ ପ୍ରଶାସନର ଉଦ୍ୟମକୁ ଜୋରଦାର ଝଟକା ଲାଗିଛି। 

ରଙ୍ଗାଶାଳାକୁ ଅନ୍ୟତ୍ର ବିନିଯୋଗ ନେଇ ଜିଲ୍ଲାପାଳଙ୍କ ପତ୍ରକୁ ରାଜସ୍ଵ ବିଭାଗ ଗ୍ରହଣ ନକରି ଓଲଟା ତାଗିଦ୍ କରିଛନ୍ତି। ରୂପେଶଙ୍କ ରଙ୍ଗଶାଳାକୁ ନଭାଙ୍ଗି ଅନ୍ୟତ୍ର ବିନିଯୋଗ କରିବାକୁ ଜିଲ୍ଲା ପ୍ରଶାସନସ୍ତରରେ ଉଦ୍ୟମ ହୋଇଥିଲା। ରଙ୍ଗଶାଳାକୁ ଜନହିତ କାର୍ଯ୍ୟରେ ଲଗାଇବାକୁ ଅନୁମତି ମଗାଯାଇଥିଲା। ଏନେଇ ରାଜସ୍ଵ ବିଭାଗ ଅନୁମତି ଲୋଡ଼ିଥିଲେ ଯାଜପୁର ଜିଲ୍ଲାପାଳ। କିନ୍ତୁ ରାଜସ୍ଵ ବିଭାଗ ଜିଲ୍ଲାପାଳଙ୍କ ପତ୍ରକୁ ଅଗ୍ରାହ୍ୟ କରିଛନ୍ତି।

ଏଭଳି କିଛି ଉଚ୍ଛେଦ ରଦ୍ଦ ପାଇଁ ଆଇନ ନଥିବା ବିଭାଗ କହିଛି। ଏଭଳି ସଂପତ୍ତିର କୌଣସି ବିକଳ୍ପ ବ୍ୟବହାର ନେଇ ବ୍ୟବସ୍ଥା ନାହିଁ। ଆବେଦନ ଅଗ୍ରାହ୍ୟ ସହ ଜିଲ୍ଲାପାଳଙ୍କ ଉପରେ ବିରକ୍ତ ପ୍ରକାଶ କରିଛନ୍ତି ବିଭାଗ। ସବୁଠୁ ବଡ଼ କଥା ଏଭଳି କ୍ଷେତ୍ରରେ ସାଧାରଣତଃ କୌଣସି ଜିଲ୍ଲାପାଳ ସ୍ପଷ୍ଟୀକରଣ ମାଗନ୍ତି ନାହିଁ। ବିନା ସ୍ପଷ୍ଟୀକରଣରେ ଏଭଳି ସଂପତ୍ତି ଜବରଦଖଲ ମୁକ୍ତ ଜରୁରୀ ଅଟେ।

ତେଣୁ ରାଜସ୍ଵ ବିଭାଗ  ଜିଲ୍ଲାପାଳଙ୍କ ଆବେଦନକୁ ଅଗ୍ରାହ୍ୟ କରି କୋର୍ଟ ଅନୁମତି ନେବାକୁ ପରାମର୍ଶ ଦେଇଛନ୍ତି। ଉଚ୍ଛେଦ ପୂର୍ବରୁ କୋର୍ଟ ଓ ତଦନ୍ତକାରୀ ସଂସ୍ଥା ସହ ପରାମର୍ଶ ଜରୁରୀ ବୋଲି ବିଭାଗ କହିଛି। ଉଲ୍ଲେଖଯୋଗ୍ୟ, ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ଦ୍ଵାରା ତଦନ୍ତ କରାଇବାକୁ ପରିବାର ଲୋକ ଓ ବିରୋଧୀ ଦାବି କରୁଛନ୍ତି।