ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ରଙ୍ଗଶାଳା ଭାଙ୍ଗିବାକୁ ନେଇ ବିରୋଧ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଚାଂୟତ ପିଇଓ(ଭୁଏଲଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହେଉଥିବାବେଳେ ଘଟଣାସ୍ଥଳରେ ଏହାକୁ ବିରୋଧ କରାଯାଇଛି । ଘଟଣାସ୍ଥଳରେ ସରପଂଚ ମଧୁସ୍ମିତା ଭଦ୍ର ଓ ତାଙ୍କ ସମର୍ଥମାନେ ଏହାକୁ ବିରୋଧ କରିଥିବା ଜଣାପଡିଛି । ଫଳରେ ସେଠାରେ ଉତେଜନା ଦେଖାଦେଇଛି ।

ଖବର ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ତହସିଲଦାର ସରୋଜ କୁମାର ପଣ୍ଡା ଏବଂ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ସଦଳବଳେ  ‘ରଙ୍ଗଶାଳା’କୁ ଭାଙ୍ଗିବା ଲାଗି ପହଂଚିଥିଲେ। ଏହା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ରୂପେଶ ଭଦ୍ରଙ୍କ ସ୍ତ୍ରୀ ତଥା ହରିଦାସପୁର ସରପଂଚ ମଧୁସ୍ମିତା ଭଦ୍ର ଓ ତାଙ୍କର ସମର୍ଥକମାନେ ଏହାକୁ ବିରୋଧ କରିଥିଲେ।  ସୂଚନାଯୋଗ୍ୟ, ସ୍ମିତାରାଣୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥିବା ଅଭିଯୋଗରେ (ଦଫା ୩୦୬) ଗେଷ୍ଟ୍ ହାଉସ୍ ମାଲିକ ରୂପେଶଙ୍କୁ ଗିରଫ କରାଯାଇଥିଲା ।

ତେବେ ସ୍ୱାମୀ ରୂପେଶଙ୍କୁ ଗିରଫ କରାଯିବା ପରେ ସରପଂଚ ମଧୁସ୍ମିତା ଭଦ୍ର ହରିଦାସପୁର ପଂଚାୟତ ପିଇଓ(ଭିଏଲ୍‌ଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି କହିଥିଲେ, ମୋ ସ୍ୱାମୀ ଜଣେ ଭଲ ମଣିଷ। ସେ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରି ଥାଆନ୍ତି, କାହାରି ଦୁଃଖ ସେ ଦେଖି ପାରନ୍ତି ନାହିଁ। ସ୍ମିତାରାଣୀଙ୍କ ପରିବାର ସହିତ ଆମ ପରିବାରର ଭଲ ସମ୍ପର୍କ ଥିଲା। ଅନେକ ସମୟରେ ଆମେ ସାଙ୍ଗ ହୋଇ ବୁଲାବୁଲି କରିବାକୁ ଯାଉ। ସ୍ମିତାରାଣୀଙ୍କ ଶାଶୁଘର ସହ ଭଲ ସମ୍ପର୍କ ନଥିଲ। ତେଣୁ ସ୍ମିତାର ବାପାଭାଇଙ୍କ ଅନୁରୋଧ କ୍ରମେ ଆମେ ତାଙ୍କୁ ସାହାଯ୍ୟ କରୁ। ସ୍ମିତାରାଣୀକୁ ମୋ ସ୍ୱାମୀ ସାହାଯ୍ୟ କରିବାକୁ ଯାଇ ଫସି ଯାଇଛନ୍ତି। କାରଣ ମୋ ସ୍ୱାମୀଙ୍କ ଉପରେ ତାଙ୍କର ଆଖି ଥିଲା। ତେଣୁ ସେ ମୋ ସ୍ୱାମୀକୁ ଫସାଇ ଦେଇଛି। ମୋ ସ୍ୱାମୀ ସମ୍ପୂର୍ଣ୍ଣ ନିର୍ଦୋଷ।’

ଅନ୍ୟପକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ୍ ପି ଚରଣ ସିଂହ ମୀନା କହିଥିଲେ, ସ୍ମିତାରାଣୀ ଓ ସରପଂଚଙ୍କ ସ୍ୱାମୀ ରୂପେଶଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା। ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ୧୬ ତାରିଖରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସେଥିରେ ପ୍ରତିକ୍ରିୟାଶୀଳ ହୋଇ ସ୍ମିତାରାଣୀ ମଧ୍ୟାହ୍ନରେ ରୂପେଶଙ୍କ ଗେଷ୍ଟ ହାଉସରେ ଆତ୍ମହତ୍ୟା କରିଥିଲେ। ଏହି ଆତ୍ମହତ୍ୟା ପାଇଁ ରୂପେଶ ମଧ୍ୟ ତାଙ୍କୁ ପ୍ରବର୍ତାଇଥିଲେ।