ଭୁବନେଶ୍ବର : ଭିଏଲ୍ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ବିଧାୟକ ମହମ୍ମଦ ମୋକିମ୍ଙ୍କ ନେତୃତ୍ବରେ କଂଗ୍ରେସର ଏକ ଅନୁସନ୍ଧାନକାରୀ ଦଳ ଗତକାଲି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କଲା ପରେ ଆଜି ରାଜ୍ୟ ମାନବାଧିକାର କମିସନ୍ ଓ ମହିଳା କମିସନ୍ଙ୍କୁ ଭେଟିଥିଲେ। ଏହି ଘଟଣାର ସାକ୍ଷୀମାନଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ସହ ସ୍ମିତାରାଣୀଙ୍କ ୭ ବର୍ଷର ଝିଅକୁ କିପରି ଲାଳନ ପାଳନ କରାଯାଇପାରିବ, ସେ ନେଇ ମାନବାଧିକାର କମିସନ୍ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଯାଜପୁର ଏସ୍ପିଙ୍କ ବୟାନକୁ ତୀବ୍ର ବିରୋଧ କରି ମହମ୍ମଦ ମୋକିମ୍ ଓ ସତ୍ୟପ୍ରକାଶ ନାୟକ କହିଛନ୍ତି, ଏହା ଏସ୍ପିଙ୍କ ମନଗଢ଼ା କାହାଣୀ। ଯେଉଁ ଅତିଥି ଭବନରେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଛି, ତାହା ରାମ୍କୋ ସିମେଣ୍ଟ କମ୍ପାନିର ଅତିଥି ଭବନ। ଏହାକୁ ବ୍ୟବହାର କରିବା ପାଇଁ ସରପଞ୍ଚଙ୍କ ସ୍ବାମୀଙ୍କୁ କାହିଁକି ଦିଆଯାଇଥିଲା ? ଅନୁସନ୍ଧାନର ସମସ୍ତ ଦିଗକୁ ବାଟବଣା କରିବା ପାଇଁ ଏସ୍ପି ଅତି ଚତୁରତାର ସହ ମୃତ ମହିଳାଙ୍କ ଚରିତ୍ର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ। ଅତିଥି ଭବନରେ ସିସି ଟିଭି ଲାଗିଥିେଲ ମଧ୍ୟ ତାହାକୁ ଭଙ୍ଗାଯାଇଛି। କିଏ କେଉଁ ପରିସ୍ଥିତିରେ ଏହାକୁ ଭାଙ୍ଗିଲେ, ତାହାର ତଦନ୍ତ କରାଯାଉ। କେଉଁ ପରିସ୍ଥିତିରେ ସ୍ମିତାରାଣୀ ଉପର ମହଲାକୁ ଯାଇ ଆତ୍ମହତ୍ୟା କଲେ, ତାହାର ପର୍ଦ୍ଦାଫାସ ହେବାର ଆବଶ୍ୟକତା ରହିଛି। ଯଦି ସ୍ମିତାରାଣୀ ଫ୍ୟାନ୍ରେ ଝୁଲି ପଡ଼ିଛନ୍ତି ବୋଲି ସରପଞ୍ଚଙ୍କ ସ୍ବାମୀ ଦେଖିଲେ, ତେବେ ତାଙ୍କୁ ସେଠାରେ ଖୋଲିବା ପାଇଁ କାହାର ସାହାଯ୍ୟ ନେଇଥିଲେ ? ପୁଲିସ୍କୁ ନ ଜଣାଇ ତାଙ୍କୁ କିପରି ଡାକ୍ତରଖାନା ନେଇଗଲେ ? ମହିଳାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରା ନ ଗଲେ ସାରା ରାଜ୍ୟରେ ଜନ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ଚେତାଇ ଦେଇଛି। ତଥ୍ୟ ଅନୁସନ୍ଧାନକାରୀ ଦଳରେ ରଜନୀ କୁମାର ମହାନ୍ତି, ସୁଦର୍ଶନ ଦାସ, ବିଶ୍ବଜିତ ଦାସ, ଅମୀୟ ପାଣ୍ଡବ, ସ୍ମୃତିରେଖା ପହି, ପଦ୍ମାକର ଗୁରୁ, ମନୋଜ ରାଉତ, ନିକୁଞ୍ଜ ପଶାୟତ ଓ ଦୀପକ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ସ୍ମିତାରାଣୀଙ୍କ ପରିବାର ଓ ସାକ୍ଷୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଘଟଣାର ସମସ୍ତ କେସ୍ ରେକର୍ଡ ଓ କେସ୍ ଡାଏରିକୁ ଅକ୍ଟୋବର ୩୦ ତାରିଖ ସୁଦ୍ଧା କମିସନ୍ଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ମାନବାଧିକାର କମିସନ୍ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।