ବିଶ୍ୱବ୍ୟାପୀ ପ୍ରଦୂଷଣ କମାଇବାରେ ସ୍ଲରି ପାଇପ୍‌ଲାଇନ୍ ସହାୟକ ହେଉଛି : ସୋଆ କର୍ମଶାଳା

ଭୁବନେଶ୍ୱର : ସ୍ଲରି ପାଇପ୍‌ଲାଇନ୍ ମାଧ୍ୟମରେ ଖଣିଜ ପଦାର୍ଥ ପରିବହନ ଦ୍ୱାରା ୯୭ ପ୍ରତିଶତ ପ୍ରଦୂଷଣ କମୁଛି ଏବଂ ୯୩ ପ୍ରତିଶତ ଶକ୍ତି ସଂରକ୍ଷଣ ହୋଇପାରୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପରିକଳ୍ପନା, ନିର୍ମାଣ ଏବଂ ପରିଚାଳନା ଦୃଷ୍ଟିରୁ ଦୂରଗାମୀ ପାଇପ୍‌ଲାଇନ୍ ସମ୍ପର୍କିତ ଏକ ଦୁଇ ଦିନିଆ ଭର୍ଚୁଆଲ୍ ଆନ୍ତର୍ଜାତିକ କର୍ମଶାଳାରୁ ଜଣାପଡ଼ିଛି ।
କୋଲକାତା ସ୍ଥିତ ଆଥା ଗ୍ରୁପ୍‌ର ମିଳିତ ସହଭାଗିତାରେ ଜାନୁଆରୀ ୮ ଏବଂ ୯ ଦୁଇ ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ସାରା ବିଶ୍ୱରୁ ୮୦୦ରୁ ଊର୍ଦ୍ଧ୍ୱ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ପାଇପଲାଇନ୍‌ର ପରିକଳ୍ପନା, ଇଞ୍ଜିନିୟରିଂ ଓ ନିର୍ମାଣ କାର୍ଯ୍ୟଦୃଷ୍ଟିରୁ ଦୂରଗାମୀ ପାଇପ୍‌ଲାଇନ୍ ସମ୍ପର୍କିତ ବିଷୟବସ୍ତୁ କୁ ନେଇ ଆଲୋଚନା କରାଯାଇଥିଲା ।
ଏହି ସମ୍ମିଳନୀରେ ଉପସ୍ଥିତ ବକ୍ତା ମାନେ ସୂଚନା ଦେଇଥିଲେ ଯେ ଏପର୍ଯ୍ୟନ୍ତ ୭୩୮ କିଲୋମିଟର ଦୈର୍ଘ୍ୟ ଓ ବାର୍ଷିକ ୨୪ ଲକ୍ଷ ଟନ୍ କ୍ଷମତାର ପାଇପ୍‌ଲାଇନ୍ ନିର୍ମାଣ କରାଯାଇଛି । ୩୫୦୦ କିଲୋମିଟର ଦୈର୍ଘ୍ୟର ଓ ବାର୍ଷିକ ୨ କୋଟି ଟନ୍ କ୍ଷମତାର ପାଇପ୍‌ଲାଇନ୍ ନିର୍ମାଣ ନିମନ୍ତେ ପ୍ରସ୍ତାବ ରଖାଯାଇଥିବା ବକ୍ତା ମାନେ ସୂଚନା ଦେଇଛନ୍ତି ।
ସେମାନେ କହିଥିଲେ ଯେ ବିଶ୍ୱବ୍ୟାପୀ ୩୦ କୋଟି ଟନ୍‌ର ଖଣିଜ ପଦାର୍ଥ ଏବଂ କୋଇଲା ସ୍ଲରି ପାଇପ୍‌ଲାଇନ୍ ଦ୍ୱାରା ପରିବହନ କରାଯାଉଛି । ବାତ୍ୟା, ବନ୍ୟା, ଭୂମିକମ୍ପ ଏବଂ ଅନ୍ୟାନ୍ୟ ମଣିଷ କୃତ ସମସ୍ୟା ଯୋଗୁଁ ଏହି ପରିବହନ ଉପରେ କୌଣସି ପ୍ରଭାବ ପଡୁନାହିଁ । ଏପରିକି ଏହି ପରିବହନ ସମୟରେ ବ୍ୟବହାର ହେଉଥିବା ୮୫ ରୁ ୯୦ ପ୍ରତିଶତ ଜଳ ପୁଣି ଥରେ ବ୍ୟବହାର ହୋଇପାରିବ ବୋଲି ବକ୍ତାମାନେ ସୂଚନା ଦେଇଛନ୍ତି ।
ସାରା ବିଶ୍ୱର ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ଯେପରିକି ଆଇରନ୍ ପଥର, କୋଇଲା, ବକ୍‌ସାଇଟ୍‌, ଲିଡ୍‌, ଜିଙ୍କ୍‌, କପର୍‌, ରକ୍ ଫସ୍‌ପେଟ, ଫ୍ଲାଇଆସ୍ ଏବଂ ଖଣିରୁ ବାହାରିଥିବା ପଦାର୍ଥ ଏହି ପାଇପ୍‌ଲାଇନ୍ ଦ୍ୱାରା ପରିବହନ କରାଯାଇପାରିବ ।
ଦୂରଗାମୀ ପାଇପ୍‌ଲାଇନ୍ ଦ୍ୱାରା ଖଣିଜ ପଦାର୍ଥ ର ହାଇଡ୍ରୋଲିକ୍ ପରିବହନ କିଭଳି ହୋଇପାରିବ ତା’ ର ବିଭିନ୍ନ ଦିଗ ଉପରେ ଅଧିକ ଜ୍ଞାନ ଆହରଣ କରିବା ସହ ଶିଳ୍ପାନୁଷ୍ଠାନ, ଗବେଷଣା କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଆଲୋଚନାକୁ ସୁଯୋଗ ଦେବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ବୋଲି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର (ଡଃ) ଡି.ଏନ୍‌. ଥାଟୋଇ ସୂଚନା ଦେଇଛନ୍ତି ।
୨୪ ଜଣ ବକ୍ତାଙ୍କ ମଧ୍ୟରୁ ୟୁଏସ୍‌ଏ, କାନାଡା, ବ୍ରାଜିଲ୍‌, ଚିଲି, ଜର୍ମାନୀ, ଦ ନେଦରଲ୍ୟାଣ୍ଡସ ଏବଂ ଅଷ୍ଟ୍ରେଲିଆରୁ ୧୪ ଜଣ ଯୋଗ ଦେଇଥିବା ବେଳେ ଅନ୍ୟ ସମସ୍ତ ବିଶେଷଜ୍ଞ ମାନେ ଭାରତୀୟ ଥିଲେ ବୋଲି ପ୍ରଫେସର ଥାଟୋଇ ସୂଚନା ଦେଇଛନ୍ତି ।