ଓଡିଶାରେ ଅଛନ୍ତି ୬୦ ମହାବଳ ବାଘ

ଭୁବନେଶ୍ୱର: ରାଜ୍ୟ ରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲ, ସମ୍ବଲପୁର ଜିଲ୍ଲା ହୀରାକୁଦ ଦେବ୍ରିଗଡ଼ ଓ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳରେ ମହାବଳଙ୍କ ସନ୍ଧାନ ମିଳିଛି । ଜଙ୍ଗଲରେ ଲାଗିଥିବା ସିସି କ୍ୟମେରାରେ ବାଘଙ୍କ ଫଟୋ କଏଦ ହୋଇଛି । ଏସବୁ ଭିତ୍ତିରେ ବର୍ତ୍ତମାନ ରାଜ୍ୟରେ ମହାବଳ ବାଘ ସଂଖ୍ୟା ୬୦ରୁ ଅଧିକ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ।

ସୂଚନା ଅନୂଯାୟୀ କିଛିମାସ ତଳେ ସୁନ୍ଦରଗଡ଼ ବନଖଣ୍ଡ ଗର୍ଜନ ପାହାଡ଼ ସଂରକ୍ଷିତ ଜଙ୍ଗଲରେ ଗୋଟିଏ କଳା ବାଘ ତା’ ମାଆ ସହ ବୁଲୁଥିଲା । ଯାହାର ଦୃଶ୍ୟ ଟ୍ରାପ କ୍ୟାମେରାରେ କଏଦ ହୋଇଥିଲା । ହେମଗିରି ଓ ଗୋପାଳପୁର ରେଞ୍ଜ ଅଞ୍ଚଳରେ କଳା ବାଘକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ବନ ବିଭାଗ ବାଘର ସନ୍ଧାନ ପାଇନଥିଲା । ହେଲେ ଜଙ୍ଗଲରେ ଲାଗିଥିବା ଟ୍ରାପକ୍ୟାମେରାରେ ଏହି ବିରଳ ଜନ୍ତୁର ଫଟୋ କଏଦ ହୋଇଥିଲା ।

ସେହିପରି ସମ୍ବଲପୁର ଜିଲ୍ଲା ହୀରାକୁଦ ଦେବ୍ରିଗଡ଼ ଓ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳରେ ଲାଗିଥିବା ଟ୍ରାପ କ୍ୟାମେରାରେ ବାଘର ଚିତ୍ର ଉତ୍ତୋଳିତ ହୋଇଥିବା ସୂଚନା ମିଳିଛି । ତେବେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୪ରେ ଓଡ଼ିଶାରେ ବାଘ ସଂଖ୍ୟରେ ଅବନତି ଦେଖାଦେଇଥିଲା । ୨୦୦୬ ରେ ଏହି ସଂଖ୍ୟା ୪୫ ଥିବା ବେଳେ ୨୦୧୦ରେ ବାଘ ସଂଖ୍ୟା ୩୨କୁ ଖସିଥିଲା । ଅନୁରୂପ ଭାବେ ୨୦୧୫ ରେ ଏହି ସଂଖ୍ୟା ଆହୁରି କମିଯାଇଥିଲା । ଏନ୍ଟିସିଏ ତଥ୍ୟ ଅନୁଯାୟୀ ୨୦୧୫ ରେ ବାଘ ସଂଖ୍ୟା ୨୮ ରହିଥିଲା । ୨୦୧୬ରେ ସେନସସ୍ ରିପୋର୍ଟ ଅନୁସାରେ ରାଜ୍ୟରେ ବାଘ ସଂଖ୍ୟା ୪୦ ଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ବନ ବିଭାଗ ତଥ୍ୟ ଅନୁଯାୟୀ ୨୦୧୫ରେ ରାଜ୍ୟରେ ୪୦ଟି ମହାବଳ ବାଘ ଓ ୩୧୮ ଚିତା ବାଘ ଥିଲେ । ହେଲେ ଏହି ୩ଟି ଜଙ୍ଗଲରେ ବାଘ ଦେଖାଯିବା ପରେ ରାଜ୍ୟରେ ବାଘ ସଂଖ୍ୟାରେ ବୃଦ୍ଧି ଘଟିଥିବା ନେଇ ଆଶା କରୁଛି ବନବିଭାଗ ।

ରାଜ୍ୟରେ ସାତକୋଶିଆ ଓ ଶିମିଳିପାଳକୁ ବ୍ୟାଘ୍ର ଅଭୟାରଣ୍ୟର ମାନ୍ୟତା ମିଳିବା ପରେ ଏବେ ମହାବଳ ବାଘ ଦେଖା ଦେଇଥିବା ଅନ୍ୟ ଜଙ୍ଗଲକୁ ମଧ୍ୟ ଅଭୟାରଣ୍ୟର ଘୋଷଣା କରିବାକୁ ଚିନ୍ତା କରୁଛି ବନବିଭାଗ । ସୁନାବେଡ଼ା, ଦେବ୍ରିଗଡ଼ ସମେତ ହେମଗିରିକୁ ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରିବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ନିକଟରେ ମହାବଳ ବାଘର ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀ କାହ୍ନା ଅଭୟାରଣ୍ୟରୁ ଓ ବାଘ ମହାବୀରକୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା । ମାତ୍ର ସୁନ୍ଦରୀ ଅଭୟାରଣ୍ୟ ଭିତରକୁ ନଯାଇ ପାଶ୍ୱର୍ବର୍ତ୍ତୀ ଗାଁରେ ଶିକାର କରୁଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ପ୍ରତିଦିନ ଉତ୍ତେଜନା ପ୍ରକାଶ ପାଉଛି ।